ଜମତରା ଗ୍ୟାଙ୍ଗ୍‌ର ୨ ସଦସ୍ୟ ଗିରଫ, ଝାଡ଼ଖଣ୍ଡରେ ଚଢ଼ଉ କରି ଧରିଲା କମିସନରେଟ ପୁଲିସ

୫ ମୋବାଇଲ ଫୋନ୍, ସିମକାର୍ଡ, ବ୍ୟାଙ୍କ ପାସବୁକ୍ ଜବତ

ଭୁବନେଶ୍ବର : ଭୁବନେଶ୍ବର କମିସନରେଟ ପୁଲିସ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡରେ ଚଢ଼ଉ କରି ଜମତରା ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଗିରିଡିହର କମଲ ଜୟସ୍ବାଲ(୨୧) ଓ ଆନନ୍ଦ କୁମାର ଭଗତ(୨୮)। ସେମାନଙ୍କ ଠାରୁ ୫ ମୋବାଇଲ ଫୋନ୍, ୩ ସିମ୍ କାର୍ଡ, ଦୁଇ ବ୍ୟାଙ୍କ ପାସବୁକ୍, ଦୁଇ ଚେକ୍ ବୁକ୍, ଆଧାର କାର୍ଡ, ପାନ୍ କାର୍ଡ ଓ ପ୍ଲାଟିନମ୍ ଡେବିଟ୍ କାର୍ଡ ଜବତ କରାଯାଇଛି। ବ୍ୟାଙ୍କ ପାସବୁକ୍‌କୁ ପୁଲିସ ଅଚଳ କରିଥିବା ବେଳେ ସେଥିରେ ୫୫ ହଜାର ଟଙ୍କା ଥିବା ଜଣାପଡ଼ିଛି। ଭୁବନେଶ୍ବରରେ ସହରାଞ୍ଚଳ ପୁଲିସ ଅଧୀନରେ ସାଇବର ଥାନା ତିଆରି ହେବା ପରେ ଏହା ପ୍ରଥମ ଗିରଫଦାରି ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ଦେଶର ବିଭିନ୍ନ ସ୍ଥାନରେ ୫୫ ମାମଲା ଅନଲାଇନ୍ ଯୋଗେ ରୁଜୁ ହୋଇଥିବା ପୁଲିସ ଜାଣିବାକୁ ପାଇଛି।

ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ରାହୁଲ ଗୁପ୍ତା ପାରାଦୀପ ପୋର୍ଟରେ ସିଭିଲ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଗତ ୩୧ ତାରିଖରେ ସେ ଭୁବନେଶ୍ବରକୁ କାମରେ ଆସିଥିବା ବେଳେ ତାଙ୍କ ମୋବାଇଲ ଫୋନକୁ ଏକ ଅଜଣା ନମ୍ବର(୭୭୮୨୦୦୬୩୬୯)ରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ନୋ ୟୋର କଷ୍ଟମର(କେଵାଇସି) ଅପଡେଟ୍ ନ ଥିବାରୁ ବନ୍ଦ ହୋଇଯିବ। କେଓ୍ଵାଇସି ଅପଡେଟ୍ କରିବା ପାଇଁ ଲିଙ୍କ୍ କ୍ଲିକ୍ କରିବା ପାଇଁ ଠକ କହିଥିଲା। ଅଭିଯୋଗକାରୀ ଲିଙ୍କ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା କଟି ଯାଇଥିଲା। ଏ ନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଆଇପିସି ଦଫା-୪୨୦, ଆଇଟି ଆଇନର ଧାରା- ୬୬(ସି), ୬୬(ଡି)ରେ ମାମଲା ରୁଜୁ କରିଥିଲା। ମୋବାଇଲ ନମ୍ବର ଟ୍ରାକ୍, ବ୍ୟାଙ୍କ ଆକାଉଣ୍ଟ କାରବାରକୁ ଆଧାର କରି ତଦନ୍ତକାରୀ ପୁଲିସ ଝାଡ଼ଖଣ୍ଡ ଗିରିଡିହ ଅଞ୍ଚଳରେ ଚଢ଼ଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଘଟଣା ସମୟରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୩୦ ତାରିଖରେ କ୍ରାଇମବ୍ରାଞ୍ଚ ସାଇବର ଥାନା ପୁଲିସ ଭୁବନେଶ୍ବରରୁ ଜମତରା ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାଡ଼ଖଣ୍ଡ ଗିରିଡିହ ଅଞ୍ଚଳର ପ୍ରଧୁମ କୁମାର ମଣ୍ଡଳ, କ୍ରିଷ୍ଣା କୁମାର ମଣ୍ଡଳ ଓ ଧାନବାଦର ଚେତଲାଲ ମଣ୍ଡଳ। ସେହିପରି ୨୦୨୧ ଅଗଷ୍ଟରେ ସମ୍ବଲପୁର ପୁଲିସ ଝାଡ଼ଖଣ୍ଡରୁ ସାଇବର ଅପରାଧୀ ଦୁଖୀ ମଣ୍ଡଳକୁ ଗିରଫ କରିଥିଲା। ୨୦୨୧ ସେପ୍ଟେମ୍ବରରେ କଳାହାଣ୍ଡି ଭବାନୀପାଟଣା ପୁଲିସ ଝାଡ଼ଖଣ୍ଡରୁ ୩ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା। ସେମାନେ ଥିଲେ ରଇଜ୍ ଅନସାରୀ, ମହମ୍ମଦ ସାଜିଦ୍ ଓ ଅବଦୁଲ୍ ଅନସାରୀ।

ସମ୍ବନ୍ଧିତ ଖବର