ଭବାନୀପାଟଣା : କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ବୁଧବାର ମାଓ ଅପରେସନ୍ ବେଳେ ଉଭୟ ପଟୁ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ଆହତ ହୋଇଥିବା ୨ ଏସ୍ଓଜି ଯବାନ ଗୁରୁବାର ସହିଦ ହୋଇଛନ୍ତି। ସହିଦ ଯବାନମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ସୁଳିଆପଡ଼ା ଥାନା ବାଘଦା ଅନ୍ତର୍ଗତ ସାନଭାଡୁଆ ଗ୍ରାମର ସୁଧୀର ଟୁଡୁ (୨୮) ଓ ଅନ୍ୟଜଣେ ଅନୁଗୁଳ ଜିଲ୍ଲା ରାଜକିଶୋର ନଗର ଥାନା ଅନ୍ତର୍ଗତ ଅଙ୍ଗପଡ଼ା ଗ୍ରାମର ଦେବାଶିଷ ସେଠୀ (୨୭)।
ଭବାନୀପାଟଣା ରିଜର୍ଭ ପୁଲିସ ପଡ଼ିଆରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ପୁଲିସ ଡିଜି ଅଭୟ, ଅପରେସନ୍ ଆଇଜି ଅମିତାଭ ଠାକୁର, ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦେଶକ ଆର.କେ ଶର୍ମା, ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍
ଅହମ୍ମଦ, ସିଆର୍ପିଏଫ କମାଣ୍ଡେଣ୍ଟ, କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଏସ୍ପି ବାତୁଲା ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହି ସହିଦଙ୍କୁ ଗାର୍ଡ ଅଫ ଅନ୍ର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସହୀଦ ମାନଙ୍କୁ ନିଜ ଜନ୍ମମାଟିକୁ ପଠାଯାଇଥିଲା।
ସହିଦଙ୍କୁ ଶେଷ ସମ୍ମାନ ଦେବାପରେ ଡିଜି ଅଭୟ ସମ୍ବାଦିକମାନଙ୍କୁ ସୂଚନାଦେଇ କହିଥିଲେ ଯେ, ଗତ ୨ମାସରେ ୧୨ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ରାଜ୍ୟର ମାଓବାଦୀ ମାନଙ୍କୁ ହିଂସାର ପଥ ଛାଡ଼ି ଜାତୀୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସହୀଦମାନଙ୍କ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ସରକାରଙ୍କ ପକ୍ଷରୁ ତୁରନ୍ତ ୧୬ ଲକ୍ଷ ଟଙ୍କା ସହାୟତା ସହ ସମ୍ପୂର୍ଣ୍ଣ ମାସିକ ଦରମା ପ୍ରଦାନ, ଘରଡ଼ିହ ସହ ସମସ୍ତ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଛି ବୋଲି କହିଥିଲେ। ସୂଚନାଥାଉ କି, ବୁଧବାର କମ୍ବିଂ ଅପରେସନ୍ ବେଳେ ମାଓବାଦୀ ଓ ପୁଲିସ ଉଭୟପଟୁ ଗୁଳିବିନିମୟ ୫ଜଣ ମାଓବାଦୀ ନିହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/jawan-f.jpg)