କରୋନା କାଳରେ କରୁଣ କାହାଣୀ: ଗୋଟିଏ ଦିନରେ ଆଖି ବୁଜିଲେ ଦୁଇ ସାମ୍ବାଦିକ

ଡକାଡକି ହୋଇ ଚାଲିଗଲେ ମଉସା, ପୁତୁରା

କୁକୁଡ଼ାଖଣ୍ଡି/ଚିକିଟି : କରୋନା ସମୟରେ ପୁଣି ଲକ କରୁଣ କାହାଣୀ ସାମ୍‌ନାକୁ ଆସିଛି। ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ଦୁଇଜଣ ଯୁବ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ଘଟିଛି। ସେମାନେ ହେଲେ କୁକୁଡ଼ାଖଣ୍ଡିନିବାସୀ ତଥା ଏକ ପୋର୍ଟାଲ୍‌ ନ୍ୟୁଜ୍‌ ଚାନେଲ୍‌ ସାମ୍ବାଦିକ ଗୋବିନ୍ଦ ବେହେରା (୨୫) ଓ ଚିକିଟିର ‘ନିତିଦିନ’ ପ୍ରତିନିଧି ମନୋଜ କୁମାର ସାହୁ।

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଗ୍ରାମ ଦଳୁଆ ସାହିର ବାସିନ୍ଦା ଗୋବିନ୍ଦ ନ୍ୟୁଜ୍-୬ ଓଡ଼ିଶା ଏକ୍ସପ୍ରେସ୍‌ ନାମକ ଏକ ପୋର୍ଟାଲ୍‌ରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ। ଗତ କିଛିଦିନ ‌ତଳେ ଅସୁସ୍ଥ ଅନୁଭବ କରିବାରୁ ସ୍ବତଃପ୍ରବୃତ୍ତ ଭାବେ ସେ ନିଜକୁ ଘରେ ସଙ୍ଗରୋଧରେ ରଖିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଗତ ମଙ୍ଗଳବାର ସେ କୋଭିଡ୍ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ସଂଗେ ସଂଗେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ଗତ ସୋମବାର ତାଙ୍କ ବାପା କନ୍ଧ ଓ ମଉସା କାମରାଜୁ ବି କୋଭିଡ୍‌‌ରେ ଆକ୍ରାନ୍ତ ହୋଇ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କିନ୍ତୁ ଗତକାଲି ହଠାତ୍ ଗୋବିନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିବା ସହ ଅକ୍ସିଜେନ୍‌ ସ୍ତର କମିଯାଇଥିଲା। ଆଉ ଆଜି ଭୋର୍ ୩ଟାରେ ସେ ଆଖି ବୁଜିଦେଇଥିଲେ। ଏହାର ମାତ୍ର ୧୫ ମିନିଟ୍ ପରେ ମଉସା କାମରାଜୁ ଡାକୁଆ (୬୫)ବି ପ୍ରାଣ ହରାଇଥିଲେ।

ଅନ୍ୟପକ୍ଷରେ ‘ନିତିଦିନ’ ଖବରକାଗଜର ଚିକିଟି ପ୍ରତିନିଧି ତଥା ଯୁବ ସାମ୍ବାଦିକ ମନୋଜ କୁମାର ସାହୁଙ୍କର କରୋନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚିକିଟିପେଣ୍ଠର ବାସିନ୍ଦା ମନୋଜ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ। ମଙ୍ଗଳବାର ହଠାତ୍ ତାଙ୍କ ଅବସ୍ଥା ସଂକଟାପନ୍ନ ହେବା ସହ ଅମ୍ଳଜାନସ୍ତର କମିଯାଇଥିଲା। ରାତିରେ ସଂଗେ ସଂଗେ ଏମ୍‌କେସିଜି କୋଭିଡ୍ ହସ୍ପିଟାଲ୍‌କୁ ଅଣାଯିବା ପରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର