କଟକ : ତ୍ରୁଟି ସୁଧାରିବା ପାଇଁ ଅଥବା ତ୍ରୁଟି ସଂଶୋଧନ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ବାର ସବୁ ବେଳେ ଖୋଲା ରହିଥାଏ। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟକୁ ରଦ୍ଦ କରି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି। ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବଳରେ ଲାବ୍ରୋଟୋରି ଟେକ୍‌ନିସିଆନ୍ ଭାବେ ନିଯୁକ୍ତି ପାଇଥିବା ଜଣେ ବ୍ୟକ୍ତିଙ୍କ ପୁନଃନିଯୁକ୍ତି ସପକ୍ଷରେ ପୂର୍ବରୁ ପ୍ରଦାନ କରାଯାଇଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଣିକିଆ ବିଚାରପତିଙ୍କ ୨୦୧୯, ଜୁଲାଇ ୨୩ର ରାୟକୁ ରାଜ୍ୟ ସରକାରଙ୍କ ତରଫରୁ ଚାଲେଞ୍ଜ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିସନ ନ‌ିର୍ଦ୍ଦେଶକ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଗ୍ରାମୀଣ ଶିଶୁ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ଲାବ୍ରୋଟୋରି ଟେକନିସିଆନ୍ (ଏଲଟି) ପଦବିରେ ନିଯୁକ୍ତି ପାଇଁ ଢେଙ୍କାନାଳ ସିଡିଏମ୍‌ଓ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି ମୁଖ୍ୟ ନିର୍ବାହୀଙ୍କ ତରଫରୁ ୨୦୦୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାର୍ଥୀ ଲ୍ୟାବ୍ ଟେକ୍‌ନିସିଆନ୍ ପାଠ୍ୟକ୍ରମ ତିନି ସରକାରୀ ମେଡିକାଲ କଲେଜ ବା ସ୍ବୀକୃତିପ୍ରାପ୍ତ ଘରୋଇ ଅନୁଷ୍ଠାନରୁ ପାସ୍ କରିଥିବେ ବୋଲି ସର୍ତ୍ତ ରଖାଯାଇଥିଲା। ଦୁଇଟି ମଞ୍ଜୁରୀପ୍ରାପ୍ତ ପଦବି ଥିବା ବେଳେ ୨୦୦୭ରେ ତିନି ଜଣଙ୍କୁ ଏଲ୍‌ଟି ପଦରେ ନିଯୁକ୍ତି ଦିଆଯାଇଥିଲା। ୨୦୦୭, ଜୁନ୍ ୧୨ରୁ ଏକ ବର୍ଷ ଲାଗି ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ତୃତୀୟ ପଦବିରେ ନିଯୁକ୍ତି ପାଇଥିବା କେ.ସି. ବେହେରା ପ୍ରଥମେ କୋଲକାତାର ଏକ ଅନୁଷ୍ଠାନର ଡିପ୍ଲୋମା ଇନ୍ ଲାବ୍ରୋଟୋରି ଟେକ୍‌ନୋଲୋଜି (ଡିଏମଏଲଟି) ସାର୍ଟିଫିକେଟ ଦାଖଲ କରିଥିଲେ ଓ ପରବର୍ତ୍ତୀ ସମୟରେ ଭୁବନେଶ୍ବରର ଏକ ଘରୋଇ ଅନୁଷ୍ଠାନର ଡିଏମ୍‌ଏଲ୍‌ଟି ସାର୍ଟିଫିକେଟ ଦେଇଥିଲେ। ଅନ୍ୟପକ୍ଷରେ ୨୦୦୭‌, ମାର୍ଚ୍ଚ ୨୮ରେ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରି ସ୍ପଷ୍ଟ କରଥିଲା ଯେ ଏଆଇସିଟିଇ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରୁ ପ୍ରାର୍ଥୀ ଏଲ୍‌ଟି ପଦବି ପାଇଁ ଆବଶ୍ୟକ ଯୋଗ୍ୟତା ହାସଲ କରିଥିବେ।

ଏନଆର୍‌ଏଚ୍‌ଏମ୍‌ ପକ୍ଷରୁ ତୃତୀୟ ପଦରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସାର୍ଟିଫିକେଟ ଯାଞ୍ଚ୍ ପାଇଁ ଡିଏମ୍‌ଇଟିଙ୍କ ନିକଟରୁ ପଠାଯାଇଥିଲା। ପ୍ରାର୍ଥୀ ଯେଉଁ ଅନୁଷ୍ଠାନର ସାର୍ଟିଫିକେଟ ଦେଇଥିଲେ ତାହା ଏଆଇସିଟିଇ ସ୍ବୀକୃତିପ୍ରାପ୍ତ ନୁହେଁ ବୋଲି ଡିଏମ୍‌ଇଟି ଚିଠି କରି ଜଣାଇଥିଲେ। ଏହାପରେ ୨୦୦୮, ଜୁନ୍ ୧୧ରୁ ପ୍ରାର୍ଥୀଙ୍କୁ ଚାକିରିରୁ ଅନ୍ତର କରି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି କେ.ସି. ବେହେରା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ଚୟନ କମିଟି ପ୍ରାର୍ଥୀଙ୍କ ଶିକ୍ଷାଗତ ‌ଯୋଗ୍ୟତା ଓ ସାର୍ଟିଫିକେଟ ସଂପର୍କରେ ଅବଗତ ରହି ଚୂଡ଼ାନ୍ତ ନିଯୁକ୍ତି ନିଷ୍ପତ୍ତି ନେଇଥିଲେ। ଏଥି ସହିତ ମଞ୍ଜୁରୀପ୍ରାପ୍ତ ପଦବିରେ ନିଯୁକ୍ତି ପାଇଥିବା ଜଣେ ବ୍ୟକ୍ତି ମଧ୍ୟ ପରବର୍ତ୍ତୀ ସମୟରେ ଇସ୍ତଫା ଦେବାରୁ ଏହି ପଦବି ଖାଲି ପଡ଼ିଥିଲା। ଏହା ସହିତ ଘରୋଇ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ ପାଇଥିବା ପ୍ରାର୍ଥୀମାନେ ଅନ୍ୟ ସ୍ଥାନରେ ଏଲ୍‌ଟି ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା। ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କେ.ସି. ବେହେରାଙ୍କୁ ଖାଲି ପଡ଼ିଥିବା ମଞ୍ଜୁରୀପ୍ରାପ୍ତ ଏଲଟି ପଦବିରେ ନିଯୁକ୍ତି ପ୍ରଦାନ ପାଇଁ ସରକାରଙ୍କୁ ୨୦୧୯, ଜୁଲାଇ ୨୩ରେ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ ସରକାରଙ୍କ ପକ୍ଷରୁ ଦାଖଲ ରିଟ୍ ଅପିଲରେ ଦର୍ଶାଯାଇଥିଲା ଯେ ସଂପୃକ୍ତ ପ୍ରାର୍ଥୀଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ସାର୍ଟିଫିକେଟ୍‌ ନଥିବା ବେଳେ ତାଙ୍କୁ ନିଯୁକ୍ତି ଦିଆଯିବା ଉଚିତ ନଥିଲା। ଏହା ବାସ୍ତବିକ ଏକ ତ୍ରୁଟି ଥିଲା। ତାଙ୍କ ନିଯୁକ୍ତି ବାତିଲ କରାଯାଇ ଏପରି ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା।