ପୁଣି ୨ ହାତୀ ମୃତ : ଆଠମଲ୍ଲିକରେ ବାର୍‌ହା ଫାଶରେ ପଡ଼ିଗଲା, ବାରିପଦାରେ ବିଦ୍ୟୁତ୍‌ ବିଭାଗ ଅବହେଳା ଦାୟୀ!

ପାଇକସାହି/ବାରିପଦା/କୁଳିଅଣା : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଜି ପୁଣିଥରେ ୨ଟି ହାତୀର ପ୍ରାଣ ଯାଇଛି। କିଛିଦିନ ତଳେ ଅନୁଗୁଳ ଓ ଢେଙ୍କାନାଳ ସମେତ ରାଜ୍ୟର କେତେକ ଜିଲ୍ଲାରେ ଏହିଭଳି ଭାବେ ହାତୀଙ୍କର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ବନବିଭାଗ ବେପରୱା ମନୋଭାବ ପୋଷଣ କରୁଥିବାବେଳେ ଅନ୍ୟପଟେ ହାତୀମାନଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ରହିଛି। ଏପରି ସ୍ଥିତିରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟିବାରେ ଲାଗିଛି। ଆଜି ଅନୁଗୁଳର ଆଠମଲ୍ଲିକ ଓ ମୟୂରଭଞ୍ଜର କୁଳିଅଣାରେ ସେହିଭଳି ଭାବେ ୨ଟି ହାତୀର ମୃତ୍ୟୁ ହୋଇଛି।

ଆଠମଲ୍ଲିକଠାରେ ଘଟିଥିବା ଘଟଣାର କାରଣ ଟିକିଏ ଭିନ୍ନ। ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ରେଂଜ ହେମାମୁରା ଗାଁ ନିକଟରେ ବାର୍୍ହା ଶିକାର ପାଇଁ ବସାଯାଇଥିବା ଜୀବନ୍ତ ବିଦ୍ୟୁତ ତାର ଫାଶରେ ପଡ଼ି ଗୋଟିଏ ଦନ୍ତାହାତୀର ଜୀବନ ଯାଇଛି।

ବିଭାଗ ସୂତ୍ରରୁ ପ୍ରକାଶ, ଏବେ ଧାନ ପାଚି ଆସିଥିବାବେଳେ ହେମାମୁରା ଗାଁ ଅଞ୍ଚଳରେ କିଛିଦିନହେଲା ବାର୍‌ହା ଓ ହାତୀଙ୍କ ଉପଦ୍ରବ ଲାଗି ରହିଛି। ବାର୍‌ହା ଶିକାର କରିବା ପାଇଁ କେତେକ ଦୁର୍ବୃତ୍ତ ଗତରାତିରେ ଗାଁ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ଲାଇନ୍‌ରେ ବିଲରେ ହୁକ ପକାଇ ଫାଶ ବସାଇଥିଲେ। ଏହି ଫାଶ ଲାଗି ପ୍ରାୟ ୩୦ ବର୍ଷ ବୟସର ଏକ ଦନ୍ତାହାତୀ ମରିଯାଇଛି।। ଘଟଣା ଲୁୁଚାଇବା ପାଇଁ ଦୁର୍ବୃତ୍ତମାନେ ଜମିରୁ ଧାନ କାଟି ଆଣି ହାତୀର ମୃତଦେହ ଘୋଡ଼ାଇ ଦେଇଥିଲେ।

ଗ୍ରାମବାସୀଙ୍କଠାରୁ ଖବର ପାଇ ଆଠମଲ୍ଲିକ ଡିଏଫ୍‌ଓ ସମ୍ୟକ ସାମନ୍ତରା, ‌ହଣ୍ଡପା ରେଂଜର ଚୈତନ୍ୟ ବେହେରା, ଫରେଷ୍ଟର ଦୀପ୍ତିରଂଜନ ବିଶ୍ବାଳ ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତହାତୀ ଜବତ କରିଛନ୍ତି। ହାତୀ ମୃତ୍ୟୁରେ ସଂପୃକ୍ତ ହେମାମୁରା ଗାଁର ୨ ଜଣ ବ୍ୟକ୍ତିଙ୍କୁ ବିଭାଗ ଚିହ୍ନଟ କରିଛି। ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝି ଏ ସଂପର୍କ‌େର ଠାକୁରଗଡ଼ ଥାନାରେ ଏତଲା ଦେଇଛନ୍ତି। ଠାକୁରଗଡ଼ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶାରଦା ତରେଇ ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ପୋତିଦିଆଯାଇଛି।

ଅନ୍ୟପଟେ, ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଢେଙ୍କାନାଳ ଜିଲ୍ଲାର କମଳାଙ୍ଗଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକାବେଳକେ ୭ଟି ହାତୀର ପ୍ରାଣ ଯାଇଥିଲା। ମାତ୍ର ଏତେବଡ଼ ବିପର୍ଯ୍ୟୟରୁ କିଛି ବି ଶିଖିଲାନି ବିଦ୍ୟୁତ ବିଭାଗ। ଆଜି ପୁଣି ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା କାରଣରୁ ବାରିପଦା ବନଖଣ୍ଡଡରଙ୍ଗିବେଡ଼ା ବିଟ୍‌ ଅଧୀନସ୍ଥ ଦେଉଳି ରେଞ୍ଜର ସୁନାପଶି ଜଙ୍ଗଲରେ ଏକ ଦନ୍ତାହାତୀର ପ୍ରାଣ ଯାଇଛି।

ଶିମିଳିପାଳ ଜାତୀୟ ଉଦ୍ୟାନରୁ ଦୁଇଟି ଦାନ୍ତହାତୀ ଦିଗଭ୍ରଷ୍ଟ ହୋଇ ଚାନ୍ଦୁଆ, ଦୁଧିଆଶୋଳ, ଦରଦରା, କେଉଟୁଣୀମାରି ଅଚଂଳକୁ ଆସି ପାଚିଲା ଧାନ ଫସଲ ନଷ୍ଟ କରୁଥିଲେ। ବନବିଭାଗ କର୍ମଚାରୀ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ହାତୀ ଦ୍ୱୟକୁ ଘଉଡାଇ ପାରି ନଥିଲେ। ୧୧ କେଭି ବିଦ୍ୟୁତ୍‌ ଲାଇନ ରଥଶୋଳଠାରେ ଓହଳି ପଡିଥିବା ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି।

ତେବେ, ଏହି ଘଟଣାରେ ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ପଦାକୁ ଆସିଛି। ସୂଚନା ମୁତାବକ ମୃତଦନ୍ତାକୁ ଦିନ ପ୍ରାୟ ୨.୪୦ରେ ବିଦ୍ୟୁତ୍‌ ଆଘାତ ଲାଗିଥିବା ବେଳେ ଦେଉଳିରେ ପକ୍ଷରୁ ବିଦ୍ୟୁତ୍‌ ବିଭାଗକୁ ସୂଚନା ଦିଆଯାଇଥିଲା ସନ୍ଧ୍ୟା ୬.୪୦ରେ। ଦନ୍ତା ହାତୀର ମୃତ୍ୟୁ ଖବର ଆସିବା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ କଟି ନଥିବା ଡିଏମ୍ଓ ସ୍ବୟଂ ମଲ୍ଲିକ ସୂଚନା ଦେଇଛନ୍ତି। ଚଳିତ ମାସ ୫ ତାରିଖରେ ବନ ବିଭାଗ ଏବଂ ବିଦ୍ୟୁତ୍‌ ବିଭାଗ(େୱସ୍କୋ) ସହିତ ଏକ ସମନ୍ବୟ ବୈଠକ ହୋଇଥିଲା। ଏହି ବୈଠକରେ ବନ ବିଭାଗ ପକ୍ଷରୁ ୫୪୫ଟି ପଏଣ୍ଟ ଦିଆଯାଇଥିଲା। ଯେଉଁଠି ବିଦ୍ୟୁତ୍‌ ତାର ବିପଦପୂର୍ଣ୍ଣ ଅବସ୍ଥାରେ ଅଛି, ଯେ ପର୍ଯ୍ୟନ୍ତ ଉକ୍ତ ସ୍ଥାନଗୁଡ଼ିକୁ ବିପଦସଙ୍କେତ ଉପରକୁ ଉଠା ଯାଇନାହିଁ ସେ ପର୍ଯ୍ୟନ୍ତ ସେହି ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଦେଉଳି ଫରେଷ୍ଟରେ ଏହି ସ୍ଥାନ ମଧ୍ୟ ୫୪୫ ବିପଦପୂର୍ଣ୍ଣ ସ୍ଥାନ ମଧ୍ୟରେ ଥିଲା। ଏଠାରେ ଯାଇଥିବା ୧୧କେଭି ତାରମାତ୍ର ୧୦ ଫୁଟ୍‌ ଉଚ୍ଚତାରେ ଯାଇଥିବାରୁ ବିଦ୍ୟୁତ୍‌ କାଟ୍‌ କରାଯିବା କଥା ବୋଲି ଡିଏଫ୍ଓ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ମାତ୍ର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏ ନେଇ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଆଜି ମଧ୍ୟ ଦେଉଳି ରେଞ୍ଜର ଅପରାହ୍ଣ ୨.୪୦ରେ ଖବର ଦେଇଥିଲେ। ମାତ୍ର ବିଦ୍ୟୁତ୍‌ କାଟ ହୋଇ ପାରି ନଥିଲା।

ଖବର ପାଇ ଡିଏଫ୍ଓ ଘଟଣାସ୍ଥଳକୁ ଯାଇ ପହଂଚିଥିବା ଜଣାପଡ଼ିଛି। ଏହା ସହିତ ଏସ୍‌ଇଏଫ୍‌ ଶରତ କୁମାର ମିଶ୍ର, ଦେଉଳି ରେଞ୍ଜର ରବି ନାରାୟଣ ମହାନ୍ତି, ସ୍ବେଚ୍ଛାସେବୀ ଭାନୁମିତ୍ର ଆଚାର୍ଯ୍ୟ ପ୍ରମୁଖ ଘଟଣାସ୍ଥଳରେ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର