ବରୀ : କାମ ନକରି ମିଥ୍ୟା ବିଲ୍ କରି ଫସିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକର ଦୁଇ କନିଷ୍ଠ ଯନ୍ତ୍ରୀ। ସରକାରୀ ଦାୟିତ୍ବରେ ଅବହେଳା, ସରକାରୀ ମାର୍ଗଦର୍ଶିକାକୁ ଅଣଦେଖା ଅଭିଯୋଗ ଉପରେ ବ୍ଲକର ଦୁଇଜଣ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଘଡ଼ାଇ ଓ ହରେକୃଷ୍ଣ ସାହୁଙ୍କୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ନିଲମ୍ବିତ କରିଛନ୍ତି। ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୦୦୬ ତା ୧୮/୦୨/୨୦୨୧ ରେ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଘଡ଼ାଇଙ୍କୁ ନିଲମ୍ବନ କରାଯାଇଛି। ତ୍ରୁଟିପୂର୍ଣ୍ଣ ବିଲ୍ କରିବା ସହିତ ନିର୍ମାଣ ଅନୁସାରେ ନକରି ମିଥ୍ୟା ବିଲ୍ କରିବା, କାର୍ଯ୍ୟରେ ଅନିୟମିତତା କରିଥିବା ଅଭିଯୋଗ ରହିଛି। କଳାମାଟିଆ ସହିଦ୍ ପୀଠରେ ନିର୍ମାଣ କାର୍ଯ୍ୟରେ ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଓ ଅନ୍ୟାସୀପୁର ପଞ୍ଚାୟତରେ ଏକ ହାଇସ୍କୁଲ ପାଚେରି ନିର୍ମାଣରେ ତ୍ରୁଟିଯୁକ୍ତ ବିଲ କରିବା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଡିଓ ଶିବାନନ୍ଦ ସ୍ବାଇଁଙ୍କଠାରୁ ସୂଚନା ମିଳିଛି।
ସେହିପରି ପତ୍ର ସଂଖ୍ୟା ୧୦୦୨ ତା ୧୮/୦୨/୨୦୨୧ରେ ବ୍ଲକର ଅନ୍ୟତମ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ରଂପା ପଞ୍ଚାୟତର ନେଉଳା ଗ୍ରାମରେ ୨ଲକ୍ଷ ଟଙ୍କା ବୁଲବୁଲ ଅନୁଦାନରେ ଏମଡିଆର-୧୪ ରୁ ପ୍ରାଣୀ ଚିକିତ୍ସାଳୟଙ୍କୁ ଢଳାଇ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଥିଲା। ଏହି ଅନୁଦାନରେ କୌଣସି ରାସ୍ତା ନିର୍ମାଣ ନକରି ପୂର୍ବରୁ ନିର୍ମିତ ରାସ୍ତାକୁ ଦେଖାଇ ସଂପୂର୍ଣ୍ଣ ଭାବେ ମିଥ୍ୟାବିଲ୍ କରିଥିଲେ। ବିଲ୍ଟି ବ୍ଲକ କାର୍ଯ୍ୟାଳୟରେ ପାସ ହେଉଥିବା ବେଳେ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ବିଡିଓଙ୍କଠାରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Suspended.jpg)