ଚିତ୍ରୋତ୍ପଳାରେ ଦୁଇ ନାବାଳକଙ୍କ ସଲିଳ ସମାଧି

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ମିଶର ଗ୍ରାମରେ ରବିବାର ଦିନ ଦୁଃଖଦ ଘଟଣା ଘଟିଛି। ଗାଧୋଉଥିବା ବେଳେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଏହି ଗ୍ରାମର ଦୁଇ ନାବାଳକଙ୍କ ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ଆଶିଷ କୁମାର ମଲିକଙ୍କ ପୁଅ ଆର୍ୟ୍ୟାନ୍ ମଲିକ(୧୧) ଓ ତାଙ୍କ ଘରକୁ ଆସିଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନରେନ୍ଦ୍ରପୁର ନିକଟ ଅସରପଡ଼ା ଗ୍ରାମର ବିଶ୍ବନାଥ ମଲିକଙ୍କ ପୁଅ ସାଇନ୍ ମଲିକ୍ (୧୩)। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

ସୂଚନା ଅନୁସାରେ, ରବିବାର ପୂର୍ବାହ୍ନରେ ଆର୍ୟ୍ୟାନ୍ ଓ ସାଇନ୍‌ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଗଭୀର ପାଣି ଭିତରକୁ ଚାଲିଯିବାରୁ ଦୁହେଁ ବୁଡ଼ି ଯାଇଥିଲେ। ଗ୍ରାମବାସୀଙ୍କ ସମେତ କୋରୁଆ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ସାଇନ୍‌ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ନିଶ୍ଚିନ୍ତକୋଇଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନିଖୋଜ ଥିବା ଆର୍ୟ୍ୟାନଙ୍କ ମୃତଦେହ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବୁଡ଼ିଯାଇଥିବା ସ୍ଥାନଠାରୁ ଏକ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଥିଲା। ଦୁଇ ନାବାଳକଙ୍କ ଅକାଳ ମୃତ୍ୟୁରେ ମିଶର ଗାଁରେ ଶୋକର ଛାୟା ଖେଳିଯାଇଛି। ବାପା, ମାଙ୍କ କାନ୍ଦବୋବାଳି ହୃଦୟ ବିଦାରକ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର