ପୋଲ ତଳକୁ ଖସିଲା କାର୍‌ : ପାଣିରେ ବୁଡ଼ି ୨ ମୃତ

ଜଟଣୀ : ଶନିବାର ବିଳମ୍ବିତ ରାତିରେ ଜଟଣୀ ହରିଭାଇନା ଛକ-ତଳଖେତା ରାସ୍ତାର କିସ୍‌ଡ କଲେଜ ନିକଟ ଲୁହାଶଙ୍ଖ ପୋଲ ଉପରୁ ଏକ ଇନୋଭା କାର୍‌ ନାଳକୁ ଖସିପଡ଼ିବାରୁ ପାଣିରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପାଣି ଭିତରୁ ମୁକୁଳି ଆସିଥିବା ଜଣେ ଯାତ୍ରୀଙ୍କ ସୂଚନା କ୍ରମେ ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ତେବେ ପରେ ଘଟଣାସ୍ଥଳରୁ ସେ କୁଆଡ଼େ ଉଭାନ୍‌ ହୋଇଯିବାରୁ ସବିଶେଷ ବିବରଣୀ ମିଳିପାରିନାହିଁ। ଅପରପକ୍ଷେ, ମୁକୁଳିଯାଇଥିବା ତୃତୀୟ ଯାତ୍ରୀ ଜଣକ ଗାଡ଼ିର ଚାଳକ ବୋଲି ଗାଡ଼ିଟି ପାଣିରୁ ବାହାରିବା ପରେ ଅନୁମାନ କରାଯାଉଛି।

ମିଳିଥିବା ସୂଚନାନୁଯାୟୀ, ଜଟଣୀରେ ଗଣେଶ ମହୋତ୍ସବ ଦେଖିସାରି ଏକ ଇନୋଭା କାର୍‌(ଓଡି-୩୩ଜି-୩୭୯୦)ରେ ତିନି ଜଣ ଭୁବନେଶ୍ୱର ଫେରୁଥିଲେ। ରାତି ପ୍ରାୟ ୧୧ଟା ୪୫ ବେଳକୁ ଗାଡ଼ିଟି ଲୁହାଶଙ୍ଖ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ତେବେ କାର୍‌ରେ ଥିବା ଅଭିମନ୍ୟୁ ବେହେରା କୌଣସିମତେ ପାଣିରୁ ବାହାରି ଆସି ଦୁର୍ଘଟଣା ସମ୍ପର୍କରେ କହିଥିଲେ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୁଲିସ ତୁରନ୍ତ ପହଞ୍ଚି ଗାଡ଼ି ଭିତରେ ପାଣିରେ ବୁଡ଼ିରହିଥିବା ଅନ୍ୟ ଦୁଇ ଯାତ୍ରୀ ନରେନ୍ଦ୍ର ଗୁରୁ ଏବଂ ଜିତେନ୍ଦ୍ର ନାୟକଙ୍କୁ ଉଦ୍ଧାର ଉଦ୍ୟମ କରିଥିଲେ। ପରେ କ୍ରେନ୍‌ ପହଞ୍ଚି କାର୍‌ଟିକୁ ଟାଣି ପାଣିରୁ ବାହାର କରିଥିଲା। ସେତେବେଳକୁ ନରେନ୍ଦ୍ର ଏବଂ ଜିତେନ୍ଦ୍ର ଆଖି ବୁଜି ସାରିଥିଲେ। ସେମାନଙ୍କ ମୃତଦେହକୁ ଗାଡ଼ିର ପଛ ସିଟ୍‌ରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର