କଣିହାଁ/ଛେଣ୍ଡିପଦା : କିଛି ଦିନର ନିରବତା ପରେ ପୁଣି ମାତିଛି ନରହନ୍ତା ଦନ୍ତା। ଆଜି ସକାଳେ ଏହି ଦନ୍ତା ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ଜଣେ ମହିଳା ଓ ଜଣେ ଯୁବକଙ୍କର ଜୀବନ ନେଇଛି। ମୃତକ ଦୁଇଜଣ ହେଲେ କଣିହାଁ ଥାନା ବଡ଼ଚାଙ୍ଗୁଡ଼ିଆ ଗାଁର କୁବେର ସାହୁଙ୍କ ପତ୍ନୀ ଅହଲ୍ୟା ସାହୁ (୪୫) ଏବଂ ଛେଣ୍ଡିପଦା ଥାନା ସାନଚାଙ୍ଗୁଡ଼ିଆ ଗାଁର ତପନ ମାଝିଙ୍କ ଏକମାତ୍ର ପୁଅ ବବୁଲ ମାଝି (୨୦)। ନରହନ୍ତା ଦନ୍ତା ଆକ୍ରମଣରେ ଏକକାଳୀନ ଦୁଇଜଣଙ୍କର ପ୍ରାଣହାନି ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ନରହନ୍ତା ଦନ୍ତାକୁ କାବୁ କରିବା ଦାବି ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳରେ ବିକ୍ଷୋଭ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଅହଲ୍ୟାଙ୍କ ସମେତ ୩ ଜଣ ମହିଳା ବଡ଼ଚାଙ୍ଗୁଡ଼ିଆ-କାକୁଡ଼ିଆ ସୀମାନ୍ତ ସଂରକ୍ଷିତ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଦନ୍ତାଟି ମହିଳାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଅହଲ୍ୟାଙ୍କୁ ଦଳି ଘଟଣାସ୍ଥଳରେ ମାରି ଦେଇଥିଲା। ଅନ୍ୟମାନେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଆସିଥିଲେ। ସେଠାରୁ କିଛି ଦୂରରେ ଶୌଚ ହେବାକୁ ଯାଇଥିବା ବବୁଲ ମାଝି ମଧ୍ୟ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ବବୁଲ ଜଣେ ଦିବ୍ୟାଙ୍ଗ ଯୁବକ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ସ୍ଥାନୀୟ ଲୋକେ ଗୁୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ମଣିଷମରା ଏହି ଦନ୍ତାକୁ ତୁରନ୍ତ କଣିହାଁ-ଛେଣ୍ଡିପଦା ରେଂଜ ଅଞ୍ଚଳରୁ ସ୍ଥାନାନ୍ତର, ୨୦ ଜଣ ଯୁବକଙ୍କୁ ଉଭୟ ରେଂଜରେ ହାତୀ ଘଉଡ଼ିବାରେ ନିୟୋଜିତ କରିବା, ମୃତକ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି, କର୍ତ୍ତବ୍ୟରେ ଅବହେଳା କରୁଥିବା ବନ ବିଭାଗ ରେଂଜର, ଫରେଷ୍ଟରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ଦନ୍ତାହାତୀ ସ୍ଥାନାନ୍ତର ନହେବା ଯାଏ ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ଲାଗି ଗ୍ରାମବାସୀ ଦାବି କରିଥିଲେ। ଘଟଣାସ୍ଥଳରେ ଅନୁଗୁଳ ବନ ଉପଖଣ୍ଡ ଅଧିକାରୀ ଶ୍ରୀକାନ୍ତ ବେହେରା, କଣିହାଁ ତହସିଲଦାର ବିନୋଦ ବିହାରୀ ବେହେରା, ରେଂଜର ଜେ.କେ.ବେହେରା, ଜେ.କେ. ପଣ୍ଡା, ବ୍ଲକ୍ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, ସରପଞ୍ଚ ଡିଲେଶ୍ୱର ନାଏକ, ନନ୍ଦିନୀ ସାହୁ, ଲୋକନାଥ ସାହୁ, ଛେଣ୍ଡିପଦା ରେଂଜର ଦୁର୍ଗାଚରଣ ସାହୁ, ଥାନାଧିକାରୀ ସୁବାସ ଚନ୍ଦ୍ର ସାହୁ, ପାଳଲହଡ଼ା ବିଧାୟକଙ୍କ ପ୍ରତିନିଧି ସୁନିଲ ପ୍ରଧାନ, ଅଗସ୍ତି ବେହେରା, ବାବୁଲା ପ୍ରଧାନ, ଚୌଧୁରୀ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ।
ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖା କ୍ଷତିପୂରଣ ଓ ରେଡ଼କ୍ରସ୍ ପକ୍ଷରୁ ୨୦ ହଜାର ଲେଖା ସହାୟତା ଦିଆଯିବ ଏବଂ ଉପରୋକ୍ତ ଦାବିଗୁଡିକ ପୂରଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପ୍ରକାଶଥାଉକି, ଆଜିର ଘଟଣାକୁ ମିଶାଇ ଏହି ହାତୀ ଅନୁଗୁଳ-ସମ୍ବଲପୁର ଜିଲ୍ଲା ଅଞ୍ଚଳରେ ୩୨ ଜଣଙ୍କୁ ମାରି ସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bikhyov-for-elephant-attack.jpg)