ଜଗତସିଂହପୁର ଟାଉନ୍/ବାଲିକୁଦା : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଇଚ୍ଛାପୁର ନିକଟରେ ବାଣ ବିସ୍ଫୋରଣରେ ୨ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ୨ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଜନବସତି ଠାରୁ ଦୂରରେ ଏହି ବିସ୍ଫୋରଣ ଘଟିଥିବାରୁ ଗ୍ରାମବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ମଙ୍ଗଳବାର ଦିନ ପ୍ରାୟ ସାଢେ ‌ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ଇଚ୍ଛାପୁର ଗ୍ରାମ ଓ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ରାସ୍ତା କଡ଼ରେ ଥିବା ସୁଶାନ୍ତ ପୃଷ୍ଟିଙ୍କ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଯୋଗୁଁ ସେଠାରେ କାମ କରୁଥିବା ଜଣେ ବ୍ୟକ୍ତି ପୋଖରୀ ଭିତରେ ପଡ଼ିଥିବା ବେଳେ ଆଉ ତିନି ଜଣ ଘର ଭିତରେ ପଡି ରହିଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଜଣଙ୍କ ବାମ ଗୋଡ଼ ଜଂଘ ପାଖରୁ ଛିଣ୍ଡି କିଛି ଦୂରରେ ପଡ଼ିଥିଲା। ସେହିପରି ଶରୀରର ମାଂସ, ଅଙ୍ଗପ୍ରତ୍ୟଙ୍ଗ ପ୍ରାୟ ଶହେ ମିଟର ଦୂରରେ ପଡ଼ିଥିଲା। ଜିଆଇ ଆଜବେଷ୍ଟସ୍ ଉଡ଼ି ପ୍ରାୟ ଦୁଇ ଶହ ମିଟର ଦୂରରେ ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀ, ୧୦୮ ଆମ୍ବୁଲାନ୍ସ, ପୁଲିସ ଘଟଣାସ୍ଥଳରେ ପହଞ୍ଚିଲେ। ସଂକଟାପନ୍ନ ଅବସ୍ଥାରେ ଜଣଙ୍କୁ ପ୍ରଥମେ ବାଲିକୁଦା ମେଡିକାଲ ନିଆ ଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ମଧ୍ୟ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୁଇ ଜଣ ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସସିବି ମେଡିକାଲ ଓ ଅନ୍ୟ ଜଣଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ଇଚ୍ଛାପୁର ବଡ଼ାଘର ଅଞ୍ଚଳର ଦିଲୀପ ମହାନ୍ତି(ଦିଲୁ, ୪୬) ଓ ଗୋପାଳପୁର ଅଞ୍ଚଳର ବୁଲୁ ଦାସ(୪୫)। ଆହତମାନେ ହେଲେ ବାଣ କାରଖାନା ମାଲିକ ସୁଶାନ୍ତ କୁମାର ପୃଷ୍ଟି ଓ ବାଣ କାରିଗର ଦୀନବନ୍ଧୁ ଦାସ।

publive-image

ସେଠାରେ ବାଣ ତିଆରି ଚାଲିଥିଲା ବେଳେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଏଭଳି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ରାସ୍ତା ନିକଟରେ ଯାଉଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇ ନିଆଁ ଜଳିବା ସହ ଧୂଆଁ ବାହାରିଥିଲା। ପ୍ରାୟ ୫୦ ମିଟର ଉଚ୍ଚ ଧୂଆଁ ଉଠିବା ସହ ପ୍ରଚଣ୍ଡ ଶବ୍ଦରେ କାନ ଫାଟି ପଡ଼ିଥିଲା। ଅଗ୍ନିଶମ ବାହିନୀ, ପୁଲିସ, ଆମ୍ବୁଲାନ୍ସ, ସ୍ଥାନୀୟ ଲୋକ ପହଞ୍ଚି ପୋଖରୀ ଭିତରୁ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ତିନି ଜଣଙ୍କୁ ଘର ଭିତରୁ ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲା। ବିସ୍ଫୋରଣ ସ୍ଥଳରେ ପାଣିମାଡ଼ କରାଯାଇ ଜଳୁଥିବା ଧାନ ଗଦା ନିଆଁକୁ ଆୟତ୍ତ କରା ଯାଇଥିଲା। ଘଟଣାସ୍ଥଳ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ସେ ଖରାବେଳେ ଖାଇ ସାରି ଶୋଇବାକୁ ଯାଉଥିବା ବେଳେ ପ୍ରଚଣ୍ଡ ଶବ୍ଦ ସହ ଖଟ ଦୋହଲି ଯାଇଥିଲା। ଭୂମିକମ୍ପ କିମ୍ବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେଲା ବୋଲି ସେ ପ୍ରଥମେ ଭାବିଥିଲେ।

ଏହି ଘଟଣାକୁ ନେଇ ବାଲିକୁଦା ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିଛି। ଆଜି ରାତିରେ ଦୁଇ ଜଣଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ପୁଲିସ ଘଟଣାର ଛାନଭିନ୍ ଚଳାଇଥିବା ବେଳେ ବାଣ କାରଖାନାକୁ ସିଲ୍ କରି ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀ ଓ ଆହତଙ୍କ ବୟାନ ରେକର୍ଡ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ପୁଲିସ କହିଛି। ଅନ୍ୟପଟେ ଘଟଣା ଘଟିବା ପରେ ଆଖପାଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚି ଯାଇଥିଲେ। ଜଗତସିଂହପୁର ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ବାଲିକୁଦା ବ୍ଲକ ବିଡିଓ, ତହସିଲଦାର, ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ। ଦୁଇ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ମୃତକଙ୍କ ପରିବାରକୁ େଭଟି ସମବେଦନା ଜଣାଇବା ସହିତ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।