ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଦୁଇ ମୃତ

ଛତିଆ : ଆଜି ସଂଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ବୈରୀ ଫାଣ୍ଡି ପୁଲିସ ଦୁଇଟିଯାକ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହାଇେଓ୍ଵ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛି। ଘଟଣା ପରେ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ବୈରୀ ଥାନା ଅନ୍ତର୍ଗତ ୧୬ ଜାତୀୟ ରାଜପଥର ନେଳିଆ ଭାରତୀୟ ତୈଳ ନିଗମ ଟାଙ୍କି ସମ୍ମୁଖରେ ଏକ ଟ୍ରକ୍‌ (ଡବ୍ଲ୍ୟୁ.୨୩ବି.୯୫୫୩) ଠିଆ ହୋଇଥିଲା। ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କେନ୍ଦୁଆପଦା ଫାଣ୍ଡି ଅନ୍ତର୍ଗତ ଅଣ୍ଡେଗଲି ଗ୍ରାମର ଅମୁ ପଣ୍ଡା ଓ ଭଣ୍ଡାରିପୋଖରୀ ଗ୍ରାମର କମଲା ବେହେରା ଏକ ହୋଣ୍ଡା ଗାଡ଼ିରେ (ଓଡି୦.୨୨ଇ.୨୦୩୩) ଭୁବନେଶ୍ୱରରୁ ଭଦ୍ରକ ଯାଉଥିଲେ। ସେମାନେ ଦ୍ରୁତଗତିରେ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌ ପଛରେ ଜୋର୍‌ରେ ପିଟି ହୋଇଯାଇଥିଲେ। ଫଳରେ ଗାଡ଼ିଟି ଟ୍ରକ୍‌ ଭିତରେ ପଶିଯିବା ସହ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଜଣଙ୍କର ଛାତିରେ ମାଡ଼ ହୋଇଥିବା ବେଳେ ଛାତି ଫାଟି ଯାଇଥିଲା। ଅନ୍ୟ ଜଣଙ୍କର ମୁଣ୍ଡ ଫାଟି ଦିଫାଳ ହୋଇଯାଇଥିଲା। ରାସ୍ତାରେ ରକ୍ତର ଧାର ଛୁଟି ଥିବା ବେଳେ ଲୋକେ ରୁଣ୍ଡ ହୋଇଯାଇଥିଲେ। ବୈରୀ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜପଥ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କ ମୃତ ଦେହକୁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ। ଛତିଆ ଫାଣ୍ଡି ଅଧିକାରୀ ଅମିୟ ବେହେରା ଘଟଣାସ୍ଥଳରୁ ଉଭୟ ଗାଡ଼ିକୁ ଜବତ କରି ଫାଣ୍ଡିକୁ ଆଣିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର