କେଆର ଲାଇନ ଟନେଲ୍‌ରେ ଅଘଟଣ: ମାଟି ଅତଡ଼ା ଧସି ୨ ଶ୍ରମିକଙ୍କ ମୃତ୍ୟୁ

୧୧ ଲକ୍ଷ କ୍ଷତିପୂରଣ ମିଳିବା ପରେ ବ୍ୟବଚ୍ଛେଦ ପାଇଁ ଶବ ଛାଡ଼ିଲେ ପରିବାର ଲୋକେ

ଲକ୍ଷ୍ମୀପୁର : କୋରାପୁଟ-ରାୟଗଡ଼ା (କେଆର) ରେଳଲାଇନରେ ବୁଧବାର ଅପରାହ୍ନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୋହରୀକରଣ ପାଇଁ ଏହି ଟନେଲ୍‌ରେ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସି ଯାଇଥିଲା। ଫଳରେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ଗାଁର ରବି ପ୍ରେପେକା ଏବଂ ଆସାମର ବରପେଟା ଜିଲ୍ଲା ଅନ୍ତର୍ଗତ ମାଜଗାଁର ୱେଲଡର ଜୋହରୁଦ୍ଦିନ ବୋଲି ସୂଚନା ମିଳିଛି। ଘଟଣା ପରେ ଚାପା ଉତ୍ତେନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଘୋଷଣା ହେବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ଅନ୍ୟପକ୍ଷରେ ବୁର୍ଜା ଗାଁର ଶତାଧିକ ଲୋକେ କ୍ଷତିପୂରଣ ଦାବି କରି ଶବ ବ୍ୟବଚ୍ଛେଦ କରିବାକୁ ଦେଇ ନଥିଲେ। ବହୁସମୟ ଧରି ଆଲୋଚନା ପରେ ଏସ୍‌ଇଡବ୍ୟୁ କମ୍ପାନି ତରଫରୁ ୧୦ଲକ୍ଷ ଟଙ୍କାର ଚେକ୍ ଓ ନଗଦ ୧ଲକ୍ଷ ଟଙ୍କା ଉପଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳାଇ, ତହସିଲଦାର ବନ ବିହାରୀ ଦିଣ୍ଡା, ଲକ୍ଷ୍ମୀପୁର ଥାନା ଆଇଆଇସି ଶ୍ବେତପଦ୍ମା ସେଠ୍‌, କାକିରିଗୁମା ଥାନା ଆଇଆଇସି ଦାମୋଦର ବିହାରୀ ଓ ଗାଁର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୃତ ରବିଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପରେ ଆଖପାଖ ସମେତ ବାହାର ରାଜ୍ୟର ଶତାଧିକ ଶ୍ରମିକ କାମ କରୁଛନ୍ତି। ବିପଦପୂର୍ଣ୍ଣ ଭାବେ ଶ୍ରମିକମାନେ ଜୀବନକୁ ବାଜି ଲଗାଇ ‌ଟନେଲ୍‌ ଭିତରେ କାମ କରୁଛନ୍ତି। କିନ୍ତୁ କଂପାନି ପକ୍ଷରୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କିମ୍ବା ବୀମା ସୁବିଧା କରାଯାଇ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର