ଖାଦାନରୁ ଲୁଟ୍‌ବେଳେ ଅତଡ଼ା ଧସିଲା, ମେସିନ ସହ ଖସିପଡ଼ି ୨ ଶ୍ରମିକ ମୃତ

ମୃତ୍ୟୁମୁଖରୁ ବର୍ତ୍ତିଗଲେ ଅନେକ ଶ୍ରମିକ, ପଦାରେ ପଡ଼ିଲା ମାଫିଆଙ୍କ ସହ ଭିତିରି ସମ୍ପର୍କ

ଯାଜପୁର/ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ଚଢ଼େଇଧରା ଫାଣ୍ଡି ପଛପଟେ ଲୁଟ୍‌ ହେଉଥିଲା କଳାପଥର। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ବି ମାଫିଆଙ୍କୁ ପ୍ରୋତ୍ସାହନ ପାଇଁ ଚୁପ୍‌ ବସିଥିଲା ପୁଲିସ ଓ ପ୍ରଶାସନ। ଆଉ ଏହି ବେଆଇନ୍‌ ଖାଦାନରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବଡ଼ ଅଘଟଣ। ଲୁଣିବର ‌ସୈରାତ ନମ୍ବର -୨ରୁ କଳାପଥର ଲୁଟ୍‌ବେଳେ ୫୦ ଫୁଟ୍ ଉଚ୍ଚରୁ ପଥର ଅତଡ଼ା ଖସି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ, ମେସିନ୍‌ ଚାଳକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସାରୁଆଳି ଗ୍ରାମର ଶାନ୍ତନୁ ଖିଲାର(୨୩) ଓ ସହାୟକ ଜେନାପୁର ଥାନା କମlଗଡ଼ ପଞ୍ଚାୟତ ଅଧୀନ ଗେଙ୍ଗୁଟିଆ ଗ୍ରାମର ଗୁରିଆ ରାଉତଙ୍କ ପୁଅ ଅପୁ ରାଉତ(୧୬)। ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁସାରେ, ଧର୍ମଶାଳା ତହସିଲ ଅଧୀନ ବଳରାମପୁର-୧ ରାଜସ୍ୱ ସର୍କଲ ଅନ୍ତର୍ଗତ ଲୁଣିବର ମୌଜାର ୨ନମ୍ବର କଳାପଥର ସୈରାତ୍‌କୁ ପୂର୍ବରୁ ଚନ୍ଦ୍ରମଣି ପରିଡ଼ାଙ୍କୁ ଲିଜ୍‌ ଦିଆଯାଇଥିଲା। ଗତ ମାର୍ଚ୍ଚ ୩୧ ତାରିଖରେ ଏହି ଖାଦାନ ବନ୍ଦ ପାଇଁ ନୋଟିସ୍‌ ହୋଇଥିଲା। ସରକାରୀ ଭାବେ ଏହି ଖାଦାନ ବନ୍ଦ ଥିଲେ ମଧ୍ୟ ଏଠାରୁ ବେଧଡ଼କ ପଥର ଲୁଟ୍‌ ହେଉଥିଲା। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ କରି ଲୁଟ୍‌ ପାଇଁ ବାଟ ଖୋଲା ଯାଇଥିଲା। ଗତକାଲି ରାତିରେ ପାହାଡ଼ରୁ ଅତଡ଼ା ଧସିବାରୁ ୫୦ଫୁଟ୍ ତଳକୁ ମେସିନ ସହିତ ଚାଳକ ଓ ସହାୟକଙ୍କ ଖସିପଡ଼ିଥିଲେ। ମେସିନ ଚାଳକ ଶାନ୍ତନୁ ଖିଲାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସହାୟକ ଅପୁ ରାଉତଙ୍କୁ ଚିକିତ୍ସା ଲାଗି କଟକ ନେବାବେଳେ ବାଟରେ ମୃତ୍ୟୁ ହୋଇଯାଇଛି।

ବେଆଇନ ଖାଦାନରେ ଦୁଇ ଜଣଙ୍କ ମୃତ୍ୟୁ ଖବରପାଇ ଯାଜପୁର ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ସଞ୍ଜୟ ପଟ୍ଟନାୟକ ଏବଂ ପୁଲିସ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି l ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଧର୍ମଶାଳାରେ ପହଞ୍ଚି ତନାଘନା କରିଛନ୍ତି। ଅତିରିକ୍ତ ତହସିଲଦାର ତପନ କୁମାର ମଲ୍ଲିକ, ରାଜସ୍ୱ ନିରୀକ୍ଷକ ଚନ୍ଦନ କୁମାର ସାହୁ ଓ ମାନସ ବେଜ ତଦନ୍ତ କରି ଏହାପୂର୍ବରୁ ଚନ୍ଦ୍ରମଣି ପରିଡ଼ାଙ୍କ ନାମରେ ଥିବା ସ୍ପଷ୍ଟ କରିଛନ୍ତି।

ରାଜସ୍ବ ନିରୀକ୍ଷକ ଚନ୍ଦନ କୁମାର ସାହୁଙ୍କୁ ଯୋଗାଯୋଗ କରାଯିବାରୁ ସରକାରୀ ଭାବେ ୩ଟି ସୈରାତର ଅବଧି ଶେଷ ହୋଇଥିବା ବେଳେ ୨ଟି ସୈରତରୁ ଖନନ ବନ୍ଦ ଲାଗି ତହସିଲଦାର ସ୍ୱାଗତ ଦାସଙ୍କ ନିର୍ଦେଶ ଦେଇଥିଲେ। ଦୁର୍ଘଟଣା ଘଟିଥିବା ଖାଦାନ ଏବେ ଖଣି ବିଭାଗ ଦାୟିତ୍ବରେ ଅଛି ବୋଲି ସେ କହିଛନ୍ତି। ତହସିଲଦାର ସ୍ୱାଗତ ଦାସ କହିଛନ୍ତି, ଲୁଣିବର ମୌଜାରେ ବେଆଇନ ଖନନ ସଂପର୍କିତ ଖବର ପ୍ରକାଶନ ପରେ ତଦନ୍ତ କରି ରିପୋର୍ଟ ଦେବାକୁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ସୋମବାର ଦିନ ଲୁଣିବର ପାହାଡ଼ରେ ୧୪୪ ଜାରି କରି ନିଷିଦ୍ଧାଞ୍ଚଳ ଘୋଷଣା ପାଇଁ ଆଦେଶ ଦିଆଯାଇଥିଲା। ସାତଦିନ ମଧ୍ୟରେ ପୁଲିସ ୧୪୪ ଲଗାଇବା କଥା। କିନ୍ତୁ, ଏହାପୂର୍ବରୁ ଏଠାରେ ଅଘଟଣ ଘଟିଛି ବୋଲି ତହସିଲଦାର କହିଛନ୍ତି।

ପ୍ରଶ୍ନ ଉଠୁଛି, ମାର୍ଚ୍ଚରୁ ଖାଦାନ ବନ୍ଦ ନୋଟିସ ହୋଇଥିବା ବେଳେ ଖନନ ହେଉଥିଲା କିପରି ? ଫାଣ୍ଡି ପଛର କାରବାର ପୁଲିସ ଜାଣିପାରୁନି କିପରି ? ୧୪୪ ଜାରି ନିର୍ଦ୍ଦେଶ କାର୍ଯ୍ୟକାରୀରେ ବିଳମ୍ବ କାହିଁକି ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରୁଛି।

ସମ୍ବନ୍ଧିତ ଖବର