ଦୁଇ ଲକ୍ଷ ୨୬ ହଜାର ଲୋକ ଜଳବନ୍ଦି, ଆହୁରି ତିନି ଚାରିଦିନ ଯାଏଁ ବନ୍ୟା ପରିସ୍ଥିତି

ବନ୍ୟାରେ ୧୨ ଜିଲ୍ଲା ଓ ବର୍ଷାରେ ୬ ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ଥିବାବେଳେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ସ୍ଥିତି ସମୀକ୍ଷା କରିଛନ୍ତି। ଏଥିରେ ବିଭିନ୍ନ ନଦୀର ଜଳସ୍ତର, ଆଗାମୀ ଲଘୁଚାପ ଓ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ହେବା ସହ ଘାଇ ଓ ଘଳିଆଗୁଡ଼ିକର ତୁରନ୍ତ ମରାମତି, ବନ୍ୟାପ୍ଲାବିତ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନାନ୍ତରୀକରଣ ଓ ସେମାନଙ୍କର ରହିବା, ଖାଇବା, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।

ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ବନ୍ୟା ଓ ବର୍ଷାରେ ୧୮ଟି ଜିଲ୍ଲାର ୧୦୭ଟି ବ୍ଲକ ପ୍ରଭାବିତ ହୋଇଛି। ଏଥିରେ ୧୨ଟି ଜିଲ୍ଲାର ୬୪ଟି ବ୍ଲକ ବନ୍ୟାରେ ଏବଂ ୬ଟି ଜିଲ୍ଲାର ୪୩ଟି ବ୍ଲକ ପ୍ରବଳ ବର୍ଷା‌ରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୋଟ୍‌ ୨୧୧୦ଟି ଗ୍ରାମ ପ୍ରଭାବିତ ହୋଇଛି। ୧୮ଟି ପୌରାଞ୍ଚଳର ୭୮ଟି ୱାର୍ଡ ବି ପାଣି ଘେରରେ ଅଛି। ବନ୍ୟା‌େର ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୯୧ହଜାର ୧୪୭ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୪୨୫ଟି ଗଁାର ୨ଲକ୍ଷ ୨୬ହଜାର ୪୪୭ଜଣ ଲୋକ ଜଳବନ୍ଦି ଅଛନ୍ତି। ୧୬୮ଟି କେନ୍ଦ୍ରରେ ୫୮୫୪୬ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଯାଉଛି। ୫୫୫୭୦ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତର କରାଯାଇଥିବା ବେଳେ ୨୪୫୮ଟି ଘର କ୍ଷତିଗ୍ରସ୍ତ ହୋଇଛି। ୩୪୭୬୧.୬୪ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଛି। କଟକ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କଟକରେ ୧୦ଟି ବ୍ଲକରେ ୩୦୭ଟି ଗାଁ, ୨ଟି ପୌରାଞ୍ଚଳର ୧ଲକ୍ଷ ୭୧ହଜାର ୫୧୧ଜଣ ପ୍ରଭାବିତ ହୋଇଛନ୍ତି। ୧୧୯ଟି ଗାଁର ୧,୧୪,୩୦୨ ଜଣ ଜଳବନ୍ଦି ହୋଇଛନ୍ତି। ୩୬୬୧୮ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେ‌ୋ ୨୮୬ଟି ଘର ଭାଙ୍ଗିଛି। ୯୯୫୭.୬୪ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।

ବୈଠକ ପରେ ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ଆହୁରି ତିନିରୁ ଚାରିଦିନ ବନ୍ୟା ପରିସ୍ଥିତି ଲାଗି ରହିବ। ବର୍ତ୍ତମାନ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଛି। ସେଠାରେ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନେ ଆବଶ୍ୟକସ୍ଥଳେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜୀବନ ମୂଲ୍ୟବାନ ଉକ୍ତିକୁ ଆଧାର କରି ଆମେ କାର୍ଯ୍ୟ କରୁଛୁ। ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆଗୁଡ଼ିକୁ ଆମେ ତୁରନ୍ତ ମରାମତି କରୁଛୁ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ଔଷଧ ମହଜୁଦ୍ ରଖିବା ସହ ଗୋଖାଦ୍ୟ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ବୁଧବାର ଦିନ ଦୁଇଟି ଘାଇ ‌ହୋଇଛି। କୁଶଭଦ୍ରାରେ ଖଣ୍ଡିଆକୁଦ ଓ ମହାନଦୀ ତେରମାଣପୁରଠାରେ ଘେରି ବନ୍ଧରେ ଘାଇ ହୋଇଛି। ଏଠାରେ ଜଳସମ୍ପଦ ବିଭାଗର ଯନ୍ତ୍ରୀ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗରେ ଘାଇ ମରାମତି କରାଯାଉଛି। ମୁଣ୍ଡଳିରେ ସକାଳ ୬ଟା ପରଠାରୁ ଜଳସ୍ତର ହ୍ରାସ ପାଇଛି। ହୀରାକୁଦରେ ୪୦ଟି ଗେଟ୍ ଖୋଲା ରହିଛି। ଆସନ୍ତା‌ ୧୮ ଓ ୨୦ତାରିଖରେ ଲଘୁଚାପରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବର୍ଷାକୁ ଆଖିରେ ରଖି ହୀରାକୁଦରେ ଗେଟ୍‌ ଖୋଲାଯିବ।

ସେହିପରି ସ୍ବାସ୍ଥ୍ୟ ବିଭାଗ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣ୍ଟି ସ୍ନେକ୍ ଭେନମ୍ ରଖିବାର ବ୍ୟବସ୍ଥା କରିଛି। ଏହାସହ ଅନ୍ୟାନ୍ୟ ଆବଶ୍ୟକ ଔ‌ଷଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୪ଟି ଭ୍ରାମ୍ୟମାଣ ଆର୍‌ଓ ୱାଟର ପ୍ଲାଣ୍ଟକୁ ବନ୍ୟା ପ୍ଲାବିତ ଅଞ୍ଚଳକୁ ପଠାଯାଇଛି। ସେହିପରି ଆବଶ୍ୟକ ସ୍ଥାନରେ ଏନଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ସେବାର ଟିମ୍‌ଗୁଡ଼ିକୁ ମୁତୟନ କରାଯାଇଛି। ଏହି ବୈଠକରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର