ପୁରୀ : ପ୍ରସିଦ୍ଧ ଲୋକନାଥ ଦେବଙ୍କ ପୀଠରେ ଆଜି ପବିତ୍ର ମହାଶିବରାତ୍ରି ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିର ଓ ଲୋକନାଥଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଦୁଇ ଲକ୍ଷରୁ ଅଧିକ ଭକ୍ତ ଏହି ପବିତ୍ର ଦିନରେ ଲୋକନାଥ ଦେବଙ୍କ ଦର୍ଶନ କରି କୋଟି ପୂଣ୍ୟ ଲାଭ କରିଛନ୍ତି। ମାନସିକଧାରୀ ଭକ୍ତମାନେ ଆଜି ନିର୍ଜଳା ଉପବାସ ପାଳିବା ସହ ମନ୍ଦିର ପରିସରରେ ଜାଗର ଜାଳି ନିଜ ମାନସିକ ପୂରଣ କରିଛନ୍ତି। ବିଳମ୍ବିତ ରାତିରେ ହରିହର ଭେଟ ନୀତି ଓ ମହାଦୀପ ଉଠିବା ପରେ ମାନସିକଧାରୀମାନେ ପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରିଛନ୍ତି।
ରବିବାର ରାତି ସାଢ଼େ ୧୨ଟାରେ ଲୋକନାଥ ଦେବଙ୍କ ପହୁଡ଼ ଦ୍ବାର ଖୋଲିବା ପରେ ରାତି ଗୋଟାଏରୁ ୨ଟା ଭିତରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟପୂଜା ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସି ଲମ୍ବା ଧାଡ଼ିରେ ଅପେକ୍ଷା କରି ରହିଥିବା ଭକ୍ତମାନେ ରବିବାର ରାତି ୨ଟାରୁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ବ୍ୟାରିକେଡ୍ ଦେଇ ଲୋକନାଥ ଦେବଙ୍କ ଦର୍ଶନ କରିଥିଲେ। ବହୁ ଭକ୍ତ ଟିକେଟ୍ କରି ଲୋକନାଥଙ୍କ ସ୍ବତନ୍ତ୍ର ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ବଲ୍ଲଭଭୋଗ ନୀତି ସଂପନ୍ନ ପରେ ଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ବାହାରି ବିଭିନ୍ନ ସ୍ଥାନରେ ପନ୍ତିଭୋଗ ନୀତି ସାରି ରାତି ପ୍ରାୟ ସାଢ଼େ ୧୧ଟାରେ ଲୋକନାଥଙ୍କ ମନ୍ଦିରରେ ପହଞ୍ଚିଥିଲେ। ରାତି ୧୨ରୁ ରାତି ୨ଟା ପର୍ଯ୍ୟନ୍ତ ପ୍ରଭୁ ଲୋକନାଥଙ୍କ ବିଭିନ୍ନ ପୂଜାନୀତି ସଂପାଦନ ହୋଇଥିଲା। ରାତି ୨ଟାରୁ ୩ଟା ଭିତରେ ହରିହର ପୂଜାଭୋଗ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ନୀତି ସଂପନ୍ନ ପରେ ରାତି ୩ଟା ପରେ ମହାଦୀପ ଉଠିଥିଲା। ହରହର ଭେଟ ସମୟରେ ତିନି ଅର୍ଣ୍ଣଭୋଗ ଓ ଆଠ ଶୀତଳ ଭୋଗ ଲାଗି ହୋଇଥିଲା। ବିଭିନ୍ନ ନିଯୋଗର ସଭାପତି, ସଦସ୍ୟ, ପଦାଧିକାରୀ, ପାଳିଆ ସେବକଙ୍କ ମିଳିତ ସହଯୋଗ ନୀତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧର ମହାପାତ୍ର ମହାଶିବରାତ୍ରି ଦାୟିତ୍ବ ତୁଲାଇଥିଲେ। ସେହିଭଳି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗାଣିଆ, ରବିନାରାୟଣ ମହାପାତ୍ର ସେଜମାଣ୍ଡି, ଶ୍ରୀଧର ପଲେଇ ଓ ଶଙ୍କର ସ୍ବାଇଁ କାନ୍ଧିଆ, ଭୀମସେନ ପ୍ରଧାନ, ନବ ବାରିକ କାହାଳିଆ, ରାଜକିଶୋର ପ୍ରଧାନ ଦୁହୁଡିଆ, ରବିନାରାୟଣ ଘଟୁଆରୀ ଘଟୁଆରୀ, ଗୋପାଳ ଚନ୍ଦ୍ର ମହାନ୍ତି ମହାଦୀପ, ନିମାଇଁ ଚରଣ ବାରିକ ଛତି ସେବା ଓ ସରୋଜ ଖଟେଇ ଘଣ୍ଟ ସେବା ଦାୟିତ୍ବ ତୁଲାଇଥିଲେ। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୨ ଜଣ ଡିଏସ୍ପି, ୧୧ ଜଣ ଆଇଆଇସି, ୪୬ ଜଣ ଏସ୍ଆଇ, ଏଏସ୍ଆଇ, ୧୪ ଜଣ ଟ୍ରାଫିକ୍ ହାବିଲଦାର, ୯୨ ଜଣ କନଷ୍ଟେବଳ, ୨୦୭ ଜଣ ହୋମଗାର୍ଡ଼ ନିୟୋଜିତ ହୋଇଥିଲେ। ଗାଡ଼ିମୋଟର ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଭକ୍ତଙ୍କ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସାଙ୍ଗକୁ ଖାଦ୍ୟ ନିରୀକ୍ଷକ ଓ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ ହୋଇଥିଲେ। ମନ୍ଦିର ଆଖପାଖରେ ଘରକରଣା ଜିନିଷଠାରୁ ଆରମ୍ଭ କରି ଭଳିକି ଭଳି ଖାଦ୍ୟର ପସରା ମେଲିଥିଲା।