ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, ଘଟଗାଁ ଆଦି ଅଞ୍ଚଳରେ ବିବାହ, ବ୍ରତଘର ହେଉ କିମ୍ବା ସଭା ସମିତି ଆଦି ପାଇଁ ଫୁଲର ଆବଶ୍ୟକ ପଡ଼ିଲେ ପ୍ରଥମେ ଖୋଜା ଯାଇଥାଏ କାର୍ତ୍ତିକ ରାଉତଙ୍କୁ। ଶ୍ରୀ ରାଉତଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିଲା ମଧ୍ୟ ସେ ଗତ ୩୦ ବର୍ଷ ହେଲାଣି ହରିଚନ୍ଦନପୁରରେ ରହୁଛନ୍ତି। ୨୦୧୩ ମସିହାରୁ ସେ ଫୁଲ ଚାଷ କରୁଛନ୍ତି। ୨୦୧୩ ମସିହାରେ ଜିଲ୍ଲାର ଶ୍ରେଷ୍ଠ ଗାଡୱାଲ ଫୁଲ ଚାଷୀ ଭାବେ ଶ୍ରୀ ରାଉତଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛନ୍ତି। ଏବେ ଶ୍ରୀ ରାଉତ ମନୋହରପୁର ପଞ୍ଚାୟତ ମକାଶୁଖିଲା ଗ୍ରାମ ନିକଟରେ ଏକ ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି।
ସେ ଏହି ଏକ ଏକର ଜମିରେ ଗତ ୩ ମାସ ପୂର୍ବେ ୪ ହଜାର ଗେଣ୍ଡୁ ଚାରା ଲଗାଇଥିଲେ। ଏବେ ସବୁ ଫୁଲ ଫୁଟିଲାଣି । ଗେଣ୍ଡୁ ଫୁଲ ଚାରା ଯୋଗାଣ ପାଇଁ ସେ କେନ୍ଦୁଝର ଉଦ୍ୟାନ ବିଭାଗକୁ ଅନୁରୋଧ କରିଥିଲେ । ଗୋଟିଏ ଚାରାକୁ ଏକ ଟଙ୍କା ହିସାବରେ ଚାରା ଯୋଗାଇବା ପାଇଁ ଉଦ୍ୟାନ ବିଭାଗ ଶ୍ରୀ ରାଉତଙ୍କୁ କହିଥିଲେ। ବାରମ୍ବାର କେନ୍ଦୁଝର ଉଦ୍ୟାନ ବିଭାଗକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ସେ କୋଲକତାରୁ ଚାରା ପ୍ରତି ୩୦ ପଇସା ହିସାବରେ ଆଣି ଗେଣ୍ଡୁଫୁଲ ଚାଷ କରିଛନ୍ତି। ଏହି ଫୁଲ ବଗିଚାରୁ ସେ ହରିଚନ୍ଦନପୁର, ଘଟଗାଁ, କେନ୍ଦୁଝର ଆଦି ଅଞ୍ଚଳର ବିଭିନ୍ନ ଉତ୍ସବକୁ ଫୁଲ ଯୋଗାଉଥିବା ଜଣାଇଛନ୍ତି। ଆଉ ଦୁଇଦିନ ପରେ ପୁଣି କୋଲକତାରୁ ୪ ହଜାର ଗେଣ୍ଡୁଫୁଲ ଚାରା ଆଣି ପୁଣି ଏକ ଏକର ଜମିରେ ଲଗାଇବେ ବୋଲି ଜଣାଇଛନ୍ତି।
ଗେଣ୍ଡୁଫୁଲ ଚାଷ ପାଇଁ ଅଧିକ ପାଣି ଦରକାର ହୋଇଥାଏ। ଗେଣ୍ଡୁଫୁଲ ବଗିଚା କଡ଼ରେ ଏକ ନାଳ ବହି ଯାଇଥିବାରୁ ସେଥିରୁ ପମ୍ପ ସାହାଯ୍ୟରେ ପାଣି ଉଠାଇ ଗେଣ୍ଡୁଫୁଲ ଚାଷ କରିଛନ୍ତି। ଶ୍ରୀ ରାଉତଙ୍କ ହରିଚନ୍ଦନପୁର , ଘଟଗାଁ ଓ କେନ୍ଦୁଝରରେ ଫୁଲ ଦୋକାନ ରହିଛି। ବିବାହ ସମୟରେ ଅଧିକ ଫୁଲ ଦରକାର ହୋଇଥାଏ। ସେ କୋଲକତାରୁ ଫୁଲ ମଗାଇବା ପାଇଁ ସେଠାରେ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ରଖିଛନ୍ତି। ଫୁଲ ଚାଷରୁ ପ୍ରତିବର୍ଷ ସେ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଆୟ କରନ୍ତି। ପୂର୍ବ ଅପେକ୍ଷା ଏବେ ଲୋକଙ୍କ ଫୁଲ ଚାହିଦା ଅଧିକ ରହିଛି। ଉଦ୍ୟାନ ବିଭାଗ ଫୁଲ ଚାଷ ପାଇଁ ପ୍ରୋତ୍ସାହନ ଦେଲେ ସେ ଅଧିକ ଗେଣ୍ଡୁ , ଗୋଲାପ ସହିତ ଅନ୍ୟାନ୍ୟ ଫୁଲ ଚାଷ କରିବେ ବୋଲି ଜଣାଇଛନ୍ତି।