ସୋର: ମତଦାନ କେନ୍ଦ୍ର ପରିସରରେ ଭୋଟରମାନଙ୍କୁ ପ୍ରବର୍ତ୍ତାଇବାକୁ କେନ୍ଦ୍ର କରି ଦୁଇ ନେତ୍ରୀଙ୍କ ମଧ୍ୟରେ କଥା କଟାକଟି ହେବା ସହିତ ଧସ୍ତାଧସ୍ତି ହୋଇଛି। ଶନିବାର ସୋର ବ୍ଲକ୍‌ ଅନନ୍ତପୁର ପଞ୍ଚାୟତ ମୂଳକାଏଦା ହାଇସ୍କୁଲ ବୁଥ୍‌ ନଂବର ୨୦୯ରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଅଭିଯୋଗ ଅନୁସାରେ, ବିଜେପି ନେତ୍ରୀ ନିରୋଦପ୍ରଭା ପଣ୍ଡା ଭୋଟ୍‌ ଦେବାକୁ ୨୦୯ ନମ୍ବର ବୁଥକୁ ଯାଇଥିଲେ। ଏହି ସମୟରେ ବିଜେଡି ନେତ୍ରୀ ତଥା ସୋର ବ୍ଲକ୍‌ ଅଧ୍ୟକ୍ଷା ଅନୁସୟା ମଳିକ ସେଠାରେ ଦୀର୍ଘ ସମୟ ବସି ରହିବା ସହିତ ଭୋଟରମାନଙ୍କୁ କୁଆଡେ ବିଜେଡିକୁ ଭୋଟ୍‌ ଦେବା ପାଇଁ କହିଥିଲେ। ଯାହାକୁ ବିରୋଧ କରିଥିଲେ ଶ୍ରୀମତୀ ପଣ୍ଡା। ଏହାକୁ ନେଇ ଉଭୟ ନେତ୍ରୀଙ୍କ ମଧ୍ୟରେ ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା। ଉଭୟଙ୍କୁ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କରିଥିଲା ପୁଲିସ। ଏ ନେଇ ଶ୍ରୀମତୀ ପଣ୍ଡା ସୋର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ମଳିକ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରାଯିବା ସହିତ ଧସ୍ତାଧସ୍ତି କରାଯାଇଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଉଭୟଙ୍କ ମାମଲାକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।