ଆସୁଛି ୨ଟି ଲଘୁଚାପ, ତାତିରୁ ମିଳିପାରେ ଆଶ୍ୱସ୍ତି

ଭୁବନେଶ୍ୱର : ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବ। ଉଭୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଓ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୩ତାରିଖ ଦିନ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୪ତାରିଖ ଦିନ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହା‌ ଲଘୁଚାପରେ ପରିଣତ ହେବ ଓ ରାଜ୍ୟରେ ୩ରୁ ୬ତାରିଖ ଯାଏ ବର୍ଷା ହେବ। ସେହିପରି ୮ତାରିଖ ଦିନ ମଧ୍ୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଫଳରେ ୮ରୁ ୧୧ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ବାସ କହିଛନ୍ତି, ସାମ୍ଭାବ୍ୟ ଲଘୁଚାପ ଯୋଗୁଁ ମୌସୁମୀ ଟ୍ରଫ୍ ଲାଇନ୍‌ ଏବେ ଦକ୍ଷିଣମୁହାଁ ହୋଇଛି। ରାଜସ୍ଥାନରୁ ଏହା ବଙ୍ଗୋପସାଗର ଆଡ଼କୁ ଯାଉଛି। ଫଳରେ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି। ୪ତାରିଖରେ ଉତ୍ତର ‌ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଯୋଗୁଁ ରାଜ୍ୟରେ ୪ ଓ ୫ତାରିଖ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଉପକୂଳ ଓଡ଼ିଶାର ବି ଅନେକ ସ୍ଥାନରେ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାର ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ ଓ ୫ ତାରିଖରେ ବର୍ଷାର ପରିମାଣ ବଢ଼ିବ। ବିସ୍ତୃତ ଭାବେ ସାରା ରାଜ୍ୟରେ ଏହି ଦୁଇ ଦିନ ବର୍ଷା ହେବ ଓ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୬ ତାରିଖରେ ବି ଅନେକ ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ଆଉ ଥରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। କିନ୍ତୁ ଏହାର ସ୍ପଷ୍ଟ ଚିତ୍ର ଆସିନାହିଁ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

MetWearher

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅନୁମାନ କରାଯାଉଛି ଯେ ୩ ତାରିଖ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ। ସେହିପରି ୪ ତାରିଖ ଦିନ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ଓ ଦକ୍ଷିଣ ଓଡ଼ିଶାର ଅପେକ୍ଷାକୃତ ଅଧିକ ବର୍ଷା ହେବ। ୫ ତାରିଖ ଦିନ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଯଥା ୩୫ରୁ ୬୪ମିମି ବର୍ଷା ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଯଥା ୧୫ରୁ ୩୫ ମିମି ବର୍ଷା ହେବ।

ଡ. ପଶୁପାଳକଙ୍କ ଆକଳନ କହୁଛି, ବାୟୁର ପ୍ରବାହ ଅନୁକୂଳ ନଥିବାରୁ ଓ ସ୍ଥଳ ଭାଗର ଖୁବ୍‌ ନିକଟତର ଥିବାରୁ ଲଘୁଚାପଟି ବିଶେଷ ଘନୀଭୂତ ହେବ ନାହିଁ। ଖୁବ୍‌ଶୀଘ୍ର ଅର୍ଥାତ ୨୪ ଘଣ୍ଟାରେ ଲଘୁଚାପଟି ସମୁଦ୍ର ଛାଡ଼ି ପଶ୍ଚିମକୁ ଗତି କରି ସ୍ଥଳ ଭାଗରେ ପହଞ୍ଚିବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଗୁଜରାଟରେ ପହଞ୍ଚିବ। ୬ ଓ ୭ରେ ଗୁଜରାଟରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହି ଲଘୁଚାପ ଗୁଜରାଟର ଲଘୁଚାପ ସହ ମିଶିଯିବ। ଅନ୍ୟପଟେ ଅଗଷ୍ଟ ୯ ତାରିଖ ଆଡ଼କୁ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ୨ରୁ ୩ ଦିନ ଧରି ଉପକୂଳ ଓଡ଼ିଶା ସମେତ ଏହାର ସଂଲଗ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ଏହି ଦୁଇଟି ଲଘୁଚାପ ଦ୍ବାରା ଉପକୂଳରେ ୧୦୦ମିମିରୁ ଅଧିକ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୨୦ ମିମିରୁ ଅଧିକ ବର୍ଷା ହୋଇପାରେ। ଯାହାକି ଏବେ ଚାଷ ପା‌ଇଁ ସୃଷ୍ଟି ହୋଇଥିବା ସମସ୍ୟାକୁ ଦୂର କରିବ। ସ୍ଥଳବିଶେଷରେ ରାଜ୍ୟରେ ୧୫୦ ମିମିରୁ ଅଧିକ ବର୍ଷା ହୋଇପାରେ।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ ଓ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର