ବାଲିପାଟଣା: ୨ ଚୋରଙ୍କୁ ଧରି ପୁଲିସର ଜିମାଦେଲେ ଗ୍ରାମବାସୀ

ଅନ୍ୟ ଜଣେ ବାଇକ ନେଇ ଚମ୍ପଟ, ବ୍ରାଉନ ସୁଗାର ଖାଉଥିଲେ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଭଅଁରା ଗ୍ରାମବାସୀ ଆଜି ୨ ଜଣ ବାଇକ ଲୁଟେରାଙ୍କୁ ଧରି ପୁଲିସର ଜିମାଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସେହି ଗ୍ରାମର ଦୁଷ୍ମନ୍ତ ପାତ୍ରଙ୍କ ବାଇକ ନେଇ ଚମ୍ପଟ ମାରିଛି। ଦୁର୍ଭାଗ୍ୟ ବଶତଃ ଲୁଟେରା ଆସିଥିବା ବାଇକ ଚୋରି ସମୟରେ ଷ୍ଟାର୍ଟ ହୋଇ ନ ଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗ୍ରାମବାସୀ କାବୁ କରିନେଇଥିଲେ। ଦୀର୍ଘ ସମୟ ଗାଁରେ ଅଟକ ରଖିବା ପରେ ରାତି ପ୍ରାୟ ସାଢେ ୮ଟା ବେଳେ ପୁଲିସର ଜିମା ଦେଇଛନ୍ତି। ସେ ୨ ଜଣ ହେଲେ ନିଆଳି ଥାନା ଅଞ୍ଚଳର ପ୍ରସାଦ ବସ୍ତିଆ ଏବଂ ରାଜେଶ ଭୋଇ। ଚନ୍ଦନ ଜେନା ନାମକ ଜଣେ ଯୁବକ ବାଇକ ନେଇ ଚମ୍ପଟ ମାରିଛି। ଲୁଟେରା ଦ୍ବୟ ବ୍ରାଉନ ସୁଗାର ଖାଉଥିବା ସ୍ବୀକାର କରିଛନ୍ତି।

ସୂଚନା ଅନୁସାରେ, ଅପରାହ୍ନ ସାଢେ ୩ଟା ବେଳେ ଭଅଁରା ଗ୍ରାମର ଦୁଷ୍ମନ୍ତ ପାତ୍ର କୁଶଭଦ୍ରା ନଦୀ ବନ୍ଧରେ ନିଜ ହିରୋ ବାଇକ ରଖି ଜମିରେ କାମ କରୁଥିଲେ। ସେହି ସମୟରେ ୩ ଜଣ ଯୁବକ ଗୋଟିଏ ସ୍ପ୍ଲେଣ୍ଡର ବାଇକରେ ଆସି ସେଠାରେ ଅଟକି ଥିଲେ। ସେମାନଙ୍କୁ ମଧ୍ୟରୁ ପୋଖରୀଗାଁର କାଳନ୍ଦୀ ଜେନାଙ୍କ ପୁଅ ଚନ୍ଦନ ଜେନା ଦୁଷ୍ମନ୍ତଙ୍କ ବାଇକ ନେଇ ଆଖି ପିଛୁଳାକେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ପାଖ ବିଲରେ କାମ କରୁଥିବା କିଛି ଲୋକ ଦେଖି ଚିତ୍କାର କରିଥିଲେ। ଦୁର୍ଭାଗ୍ୟ ବଶତଃ ଲୁଟେରା ଆଣି ଆସିଥିବା ନିଜ ବାଇକରୁ ତେଲ ସରିଯାଇଥିଲା। ଯାହା ଫଳରେ କି ଆଉ ଷ୍ଟାର୍ଟ ହୋଇ ନ ଥିଲା। ପାଖ ବିଲରୁ କାମ କରୁଥିବା ଜଣେ ବ୍ୟକ୍ତି ଦୌଡ଼ି ଆସି ୨ ଜଣଙ୍କୁ କାବୁ କରି ନେଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ରୁଣ୍ଡ ହୋଇଯାଥିଲେ ଏବଂ ଗାଁ’କୁ ଆଣି ଅଟକ ରଖିଥିଲେ। ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିବା ୨ ଜଣ ହେଲେ ନିଆଳି ଥାନା ପୋଖରୀଗାଁର ପ୍ରଶନ୍ନ ବସ୍ତିଆଙ୍କ ପୁଅ ପ୍ରସାଦ ବସ୍ତିଆ ଏବଂ ଏରଞ୍ଚ ସନ୍ତୋଷ ଭୋଇଙ୍କ ପୁଅ ରାଜେଶ ଭୋଇ। ଉକ୍ତ ୨ ଲୁଟେରାଙ୍କୁ ଗାଁରେ ଦୀର୍ଘ ସମୟ ଅଟକ ରଖିଥିଲେ ଏବଂ ବାଇକ ନେଇ ଫେରାର ହୋଇଥିବା ଚନ୍ଦନ କୁ ଫୋନ ଯୋଗେ ଆସିବା ପାଇଁ ଯୋଗାଯୋଗ କରାଇ ଥିଲେ। ହେଲେ ଚନ୍ଦନ ଆଉ ଫୋନ ଉଠାଇ ନ ଥିଲେ।

ଖବର ପାଇ ବନମାଳିପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳକୁ ଯାଇଥିଲେ। ହେଲେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଛାଡି ନ ଥିଲେ। ଖବର ପାଇ ବାଲିପାଟଣା ପୁଲିସ ପିସିଆର ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଥାନାରେ ଅଟକ ରଖିଛି। ଏହି ଗ୍ୟାଙ୍ଗ ପେସାଦାର ଲୁଟେରା ବୋଲି ପୁଲିସ ଅନୁମାନ କରିଛି। ଧରାପଡ଼ିଥିବା ପ୍ରସାଦ ଏବଂ ରାଜେଶ ଜଗତସିଂହପୁରରୁ ବ୍ରାଉନ ସୁଗାର କିଣି ଖାଉଥିବା ସ୍ବୀକାର କରିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରୀ ରଖିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର