ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ସ୍କୁଲ୍ ଅନ୍ତେବାସୀ କରୋନା ଆକ୍ରାନ୍ତ ହେବା ପରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସଂକ୍ରମଣ ହାର ଚିନ୍ତାଜନକ ସ୍ଥିତିରେ ନଥିବା ସତ୍ତ୍ବେ କିପରି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ୬୪ ହଷ୍ଟେଲ୍ ଅନ୍ତେବାସୀ ପଜିଟିଭ୍ ହେଲେ ତାକୁ ନେଇ ଦୁଇ ଜଣିଆ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ମହାମାରୀ ସଂକ୍ରାମକ ରୋଗୀ ବିଶେଷଜ୍ଞ ବସନ୍ତ କୁମାର ସ୍ୱାଇଁ ଓ ଆରଆରଟି ଟିମ୍ ରାଜ୍ୟ ସଭ୍ୟ ଡା. ସତ୍ୟରଂଜନ ପାଣିଗ୍ରାହୀ ରାୟଗଡ଼ାରେ ପହଞ୍ଚି ଅନ୍ବେଷା ହଷ୍ଟେଲ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ କେଉଁ ତାରିଖରେ ଆରଟିପିସିଆର ଟେଷ୍ଟ କରାଯାଇଥିଲା କେତେ ଜଣଙ୍କ ଟେଷ୍ଟିଂ ହୋଇଥିଲା ସେ ନେଇ ବିଶେଷଜ୍ଞ ଟିମ୍ ଟିକନିକ୍ ଭାବେ ଯାଞ୍ଚ ଆରମ୍ଭ କରିଛି। କେଉଁ କାରଣରୁ ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍ ହେଲେ ସେ ଦିଗକୁ ଅନୁଧ୍ୟାନ କରିବା ସହ ସେମାନଙ୍କ ମଧ୍ୟରେ କେତେ ଜଣ ପିଲାଙ୍କ ଟୀକାକରଣ ହୋଇଛି ସେ ନେଇ ତଥ୍ୟ ସଂଗ୍ରହ କରିଥିଲା ବିଶେଷଜ୍ଞ ଟିମ୍। ପଜିଟିଭ୍ ଚିହ୍ନଟ ଅନ୍ତେବାସୀଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନଥିବାରୁ ଏବଂ ସମସ୍ତେ ସୁସ୍ଥ ଥିବାରୁ ବିଶେଷଜ୍ଞ ଟିମ୍ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ଏଥି ସହ ଅନ୍ତେବାସୀ ବ୍ୟବହାର କରୁଥିବା ପାଇଖାନା, ଗାଧୁଆ ଘର ଆଦି ସ୍ଥାନ ଗୁଡିକର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବାକୁ ବିଶେଷଜ୍ଞ ଟିମ୍ ପରାମର୍ଶ ଦେଇଛନ୍ତି। ରାଜ୍ୟରୁ ଆସିଥିବା ଏହି ୨ ଜଣିଆ ବିଶେଷଜ୍ଞ ଟିମ୍ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ରାଉତରାଏ, ଏପିଡି ମାଇଲୋଜିଷ୍ଟ ଜ୍ଞାନେନ୍ଦ୍ର ମହାନ୍ତି, ଡିପିଏଚଓ ଡା. ଭି. ଏଲ. ଏନ. ରାଜୁ, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡା. ଏସ. ନବୀନ, ଡା. ସୁନୀଲ କୁମାର ମହାପାତ୍ର, ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଏପିଏମ୍ କିରଣ କୁମାର ପାତ୍ର, ଏମଏଚୟୁ ଷ୍ଟାଫଙ୍କ ସମେତ ଫର୍ମାସିଷ୍ଟ, ଏଲଟି କର୍ମଚାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ପ୍ରମୁଖ ତଦନ୍ତ ସମୟରେ ଉପସ୍ଥିତ ଥିଲେ। ଅନ୍ୱେଷା ହଷ୍ଟେଲରେ ୨ ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି। ଆକ୍ରାନ୍ତ ଅନ୍ତେବାସୀଙ୍କ ଦ୍ବାରା ଅନ୍ୟ ଛାତ୍ରଛାତ୍ରୀ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥି ପ୍ରତି ଅଧିକ ଧ୍ୟାନ ରଖିବାକୁ ଟିମ୍ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା ସଦର ମହକୁମା କୋଟଲାଗୁଡା ଅନ୍ୱେଷା ହଷ୍ଟେଲରେ ୪୪ ଏବଂ ବିଷମକଟକ ବ୍ଲକ୍ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ ମୋଟ ୬୪ ଛାତ୍ରଙ୍କ ଆରଟିପିସିଆର ନମୁନା ପଜିଟିଭ ଆସିଥିଲା। ତେବେ ଅନେକ ପଜିଟିଭ୍ ଅନ୍ତେବାସୀଙ୍କ ନିକଟରେ କରୋନା ଲକ୍ଷଣ ନଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇ ଦୁଇଟି ଛାତ୍ରାବାସରେ ମେଡିକାଲ ପକ୍ଷରୁ ଔଷଧ ଯୋଗାଇ ଦିଆଯାଇଛି। ଆରଟିପିସିଆର ରିପୋର୍ଟକୁ ପୁନଃ ପରୀକ୍ଷା କରିବା ପାଇଁ ସମସ୍ତ ନମୁନାକୁ ଭୁବନେଶ୍ୱର ଆରଏମଆରସିକୁ ପଠାଯାଇଥିବା ଜିଲ୍ଲାପାଳ ସରୋଜ ମିଶ୍ର ସୂଚନା ଦେଇଛନ୍ତି। ରାୟଗଡ଼ା ଆରଆରଟି ଟିମ୍ ପକ୍ଷରୁ କରାଯାଇଥିବା ଆଟିପିସିଆର ରିପୋର୍ଟରେ କିଛି ତ୍ରୁଟି ରହିଛି କି ନାହିଁ ତାହା ଜାଣିବା ପାଇଁ ଭୁବନେଶ୍ୱର ଆରଏମସିଆରକୁ ପଠାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍ ହିଁ ଆସିଲେ ଅଧିକ ସାବଧାନତା ଅବଲମ୍ବନ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।