ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡ଼ୁର ଦୁଇ ମନ୍ତ୍ରୀ

ଭୁବନେଶ୍ବର : ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରେ ତାମିଲନାଡ଼ୁର କିଛି ଯାତ୍ରୀ ରହିଥିଲେ। ସେମାନଙ୍କ କଥା ବୁଝିବା ପାଇଁ ତାମିଲନାଡ଼ୁ କ୍ରୀଡ଼ା ମନ୍ତ୍ରୀ ଉଦୟନାଥ ଷ୍ଟାଲିନ୍ ଓ ପରିବହନ ମନ୍ତ୍ରୀ ଏସ୍‌ ଏସ୍‌ ଶିବଶଙ୍କର ଓଡ଼ିଶା ଗସ୍ତରେ ଆସିଛନ୍ତି। ତାମିଲନାଡ଼ୁର ବରିଷ୍ଠ ଅଧିକାରୀମାନଙ୍କ ସହ ଉଭୟ ମନ୍ତ୍ରୀ ବାଲେଶ୍ବର ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ସେମାନେ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ସବୁପ୍ରକାର ଚିକିତ୍ସା ସୁବିଧା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ ଓଡ଼ିଶା ପ୍ରଶାସନର ଉଦ୍ଧାର କାର୍ଯ୍ୟ ଓ ଆହତଙ୍କୁ ତତ୍‌କାଳ ଚିକିତ୍ସା ସୁବିଧା ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ତତ୍‌କାଳ ପଦକ୍ଷେପ ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହିସମୟରେ ତାମିଲନାଡ଼ୁ ସରକାର ସମସ୍ତ ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍, ତାମିଲନାଡ଼ୁର ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଫଣୀନ୍ଦ୍ର ରେଡ୍ଡି, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କୁମାର ଜୟନ୍ତ, ତାମିଲନାଡ଼ୁ ଟିଚର୍ସ ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡର ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର