ଗୋପାଳପୁର: ଗଂଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ି ଯାଉଥିବା ଦୁଇ ନାବାଳକଙ୍କୁ ବେଳାଭୂମିରେ ନିୟୋଜିତ ଲାଇଫ୍‌ ଗାର୍ଡ଼ ଜି. ଚିଟି ବାବୁ ଓ ଲିଙ୍ଗରାଜ ବେହେରା ଉଦ୍ଧାର କରିଥିବା ଜଣାଯାଇଛି। ଦୁଇ ନାବାଳକ ହେଲେ ବିଶାଖାପାଟଣାର ରିହାନ୍‌ ଅଲିବେଗ(୧୫) ଓ ବ୍ରହ୍ମପୁରର ଇରଫାନ୍‌ ଅଲ୍ଲୀ(୧୫) ବୋଲି ଜଣାପଡ଼ିଛି। ମିଳିଥିବା‌ ସୂଚନା ଅନୁଯାୟୀ ବିଶାଖାପାଟଣାରେ ରହୁଥିବା ରିହାନ୍‌ ବ୍ରହ୍ମପୁର ସୋମନାଥନଗରରେ ରହୁଥିବା ଦାଦା ଘରକୁ ବୁଲିବାକୁ ଆସିଥିଲେ। ଆଜି ସପରିବାର ଗୋପାଳପୁର ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ପାଣି ଭିତରକୁ ଚାଲିଯାଇଥିଲେ। ଏହି ସମୟରେ କାର୍ଯ୍ୟରତ ଲାଇଫ୍‌ଗାର୍ଡ ଜି. ଚିଟି ବାବୁ, ଲିଙ୍ଗରାଜ ବେହେରା ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।
ପ୍ରକାଶ ଥାଉକି, ଗତ ୧୨ ତାରିଖ ଦିନଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ବ୍ରହ୍ମପୁରର ଆଦିତ୍ୟ ପ୍ରସାଦ ଦାସ(୧୫) ନାମକ ଜଣେ ନାବାଳକ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ ବି ତାଙ୍କ ପତ୍ତା ମିଳିନଥିବା ବେଳେ ୪ ଦିନ ପରେ ବାସନପୁଟି ସମୁଦ୍ର ନିକଟରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା। ମୃତ ଆଦିତ୍ୟ ବ୍ରହ୍ମପୁର ଡି’ପଲ୍‌ ସ୍କୁଲର ଛାତ୍ର ଥିଲେ।