ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ପଞ୍ଚାୟତର ଉତକାପାଡୁ ଗ୍ରାମର ଦୁଇ ନାବାଳିକା ବନ୍ଧୁ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ଘଟଣା ଅନୁଯାୟୀ ଉତକାପାଡୁ ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଏବଂ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ମଧ୍ୟରୁ ବନ୍ଧୁତ୍ବ ଥିଲା। ଘରେ କେହି ନଥିବା ବେଳେ ଆଜି ସକାଳେ ଦୁହେଁ କୌଣସି ଏକ ଘଟଣାକୁ ନେଇ ବିଷ ପାନ କରିଥିଲେ। ତେବେ ପରିବାର ଲୋକେ ଘରେ ପହଞ୍ଚିବା ପରେ ଦୁହେଁ ଛଟପଟ ହେଉଥିବା ଦେଖି ପ୍ରଥମେ କୋଲନରା ମେଡିକାଲକୁ ନେଇଥିଲେ। ସେଠାରେ ଗୁରୁତର ହେବାରୁ ଡାକ୍ତର ତୁରନ୍ତ ରାୟଗଡ଼ା ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ। ତେବେ ରାୟଗଡ଼ାରେ ଚିକିତ୍ସିତ ଅବସ୍ଥାରେ ଦଶମ ଶ୍ରେଣୀର ଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସଂକଟାପନ୍ନ ଅବସ୍ଥାରେ ରହିଛନ୍ତି। ପରିବାର ଲୋକେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଉନଥିବା ବେଳେ ପୁଲିସର ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି। ତେବେ ତଦନ୍ତ ପରେ ଏମାନେ କେଉଁ କାରଣରୁ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।