ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଓଡ଼ଙ୍ଗି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳେ ସଦର ଥାନା ଓଡ଼ଙ୍ଗି ଗାଁ ପୋଖରୀକୁ ୨ ନାବାଳିକା ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଅସାବଧାନତାବଶତଃ ଦୁହେଁ ପୋଖରୀରେ ବେଳେ ବୁଡ଼ିଯାଇଥିଲେ। ପରେ ସେମାନଙ୍କୁ ସ୍ଥାନୀୟ ଲାେକେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisment

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ଓଡ଼ଙ୍ଗୀ ଗ୍ରାମର ବିଶ୍ୱଜିତ୍ ଦାଶଙ୍କ ଝିଅ ତପସ୍ଵିନୀ ଓ ସନ୍ତୋଷ ଦାଶଙ୍କ ଝିଅ ତନୁଶ୍ରୀ ସ୍କୁଲ ଯିବା ପାଇଁ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ସାନବାପା ଝିଅ ତନୁଶ୍ରୀର ଗୋଡ଼ ଖସିଯିବାରୁ ସେ ପାଣି ଭିତରକୁ ଚାଲିଯାଇଥିଲା। ବଡ଼ଭଉଣୀ ତପସ୍ଵିନୀ ତାକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବୁଡ଼ିଯାଇଥିଲା। ଦୁହେଁ ପହଁରା ଜାଣି ନଥିବାରୁ ପାଣିରେ ବୁଡ଼ି ଯାଇଥିଲେ। ପୋଖରୀରୁ ଫେରିବା ବିଳମ୍ବ ହେବାରୁ ଏପଟେ ଘରଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ପୋଖରୀଘାଟରେ ଦୁଇ ଜଣଙ୍କ ଲୁଗା ରହିଥିଲା। ପରିବାର ଓ ସାହିପଡ଼ିଶା ଲୋକେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ବାଲେଶ୍ଵର ସଦର ମହକୁମା ସ୍ଥିତ ଫକୀରମୋହନ ସରକାରୀ ମେଡିକାଲ ଓ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିବା ପରେ ସଦର ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।