ରାଉରକେଲା: ସ୍କୁଲ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ କରିଛି ରଘୁନାଥପାଲି ପୁଲିସ। ବ୍ଲୁ’ଟୁଥ୍‌କୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗିରଫ ଦୁଇ ସାଙ୍ଗ ରୁଦ୍ର ନାରାୟଣଙ୍କୁ ଠେଲି ଦେବାରୁ ପଥରେ ପିଟି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଦୁଇଟି ସାଇକଲ, ଗିରଫ ନାବାଳକ ବ୍ୟବହାର କରୁଥିବା ମୋବାଇଲ ଓ ଦୁଇଟି ରକ୍ତଭିଜା ପଥର ଜବତ କରିଛି। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି ରଘୁନାଥପାଲି ଥାନା ଅଧିକାରୀ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ଉଦିତନଗର ସରନା ଛକ ନିକଟରେ ଦୁଇ ସାଂଗ ଏକାଠି କିଣିଥିବା ବ୍ଲୁ’ଟୁଥ୍‌ ବାବଦ ବକେୟା ଟଙ୍କା ଓ ଖର୍ଚ୍ଚ କରିବାକୁ ଆଉ କିଛି ଟଙ୍କା ରୁଦ୍ରଙ୍କୁ ମାଗିଥିଲେ। ଯାହାକୁ କେନ୍ଦ୍ରକରି ଦୁଇ ସାଙ୍ଗ ଓ ରୁଦ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୁଇ ସାଙ୍ଗ ଉତ୍ତେଜିତ ‌ହୋଇ ରୁଦ୍ରଙ୍କୁ ଠେଲି ଦେଇଥିଲେ। ତଳେ ପଡିଯିବା ପରେ ଦୁହେଁ ତାଙ୍କ ମୁହଁ ଓ ମୁଣ୍ଡକୁ ପଥରେ ଛେଚି ହତ୍ୟା କରିବା ପରେ ପୁଲିଆ ନିକଟରେ ଫିଙ୍ଗି ଦେଇଥିଲେ।

ସେପଟେ ରବିବାର ରାତିରେ ରୁଦ୍ର ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ନ ପାଇବାରୁ ସୋମବାର ବାପା ପଦ୍ମଲୋଚନ ପୁଅର ନିଖୋଜ ହୋଇଥିବା ସଂକ୍ରାନ୍ତରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ପରିବାର ଲୋକ ଓ ପଡୋଶୀ ରୁଦ୍ରନାରାୟଣଙ୍କ ତିନି ଜଣ ସାଙ୍ଗଙ୍କୁ ପଚରାଉଚରା କରିଥିଲେ। ଧରାପଡ଼ିଯିବା ଭୟରେ ସେମାନେ ରୁଦ୍ରଙ୍କ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ। ପରିବାର ଲୋକ ଧମକଚମକ ଦେବା ପରେ ଦୁଇ ଅଭିଯୁକ୍ତ ସାଙ୍ଗ ରୁଦ୍ରନାରାୟଣଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲେ। ସେମାନଙ୍କ ସୂଚନା ଆଧାରରେ ପରିବାର ଓ ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ଦୁଇ ଅଭିଯୁକ୍ତ ସାଙ୍ଗ ସହ ଅନ୍ୟ ଜଣେ ସାଂଗ (ଛାତ୍ର)ଙ୍କୁ ଧରି ରଘୁନାଥପାଲି ଥାନାରେ ଜିମା ଦେଇଥିଲେ।