ସମ୍ବଲପୁରର ୨ ନାବାଳିକା ଦିଲ୍ଲୀରେ ବିକ୍ରି, ଜଣେ ଉଦ୍ଧାର, ଅନ୍ୟ ଜଣଙ୍କ ପତ୍ତା ମିଳୁନି

ସମ୍ବଲପୁର : ସମ୍ବଲପୁରରେ ସକ୍ରିୟ ନାବାଳିକା ସେକ୍ସ ରାକେଟ୍‌ର ଦଲାଲ। ୧୫ ବର୍ଷର ୨ ଜଣ ନାବାଳିକାଙ୍କୁ ଦିଲ୍ଲୀରେ ବିକ୍ରି କରାଯାଇିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦିଲ୍ଲୀ ପୁଲିସ ଉଦ୍ଧାର କରି କିଛିଦିନ ପୂର୍ବରୁ ସମ୍ବଲପୁର ପଠାଇ ଦେଇଛି। ଅନ୍ୟ ଜଣେ ନାବାଳିକାଙ୍କ ବର୍ତ୍ତମାନ ସୁଦ୍ଧା ଖବର ମିଳୁନାହିଁ। ଏହି କାରବାରର ଚେର ସମ୍ବଲପୁରରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି।

ଦିଲ୍ଲୀରୁ ଉଦ୍ଧାର ହୋଇଥିବା ଚାଳମାଳ ଅଞ୍ଚଳର ନାବାଳିକାଙ୍କ ବୟାନ ଅନୁସାରେ, କିଛି ବର୍ଷ ପୂର୍ବରୁ ତାଙ୍କ ମାଙ୍କ ଦେହାନ୍ତ ହୋଇଯାଇଥିଲା। ଘରେ ସେ ଓ ତାଙ୍କ ବାପା ରହୁଥିଲେ। ସେମାନଙ୍କ ପରିବାର ଅତି ଗରିବ। ତାଙ୍କ ଆର୍ଥିକ ଦୁଃସ୍ଥିତି ଦେଖି ଗତବର୍ଷ ଜଣେ ମହିଳା ତାଙ୍କୁ ସାହାଯ୍ୟ ସହଯୋଗ କରିବେ ବୋଲି କହିଥିଲେ। ମହିଳାଙ୍କ କଥାରେ ପଡ଼ି ନାବାଳିକା ଜଣଙ୍କ ତାଙ୍କ ସହ ଦିଲ୍ଲୀ ଯାଇଥିଲେ। ମହିଳାଜଣଙ୍କ ସାଙ୍ଗରେ ଧନୁପାଲି ଥାନା ଅଞ୍ଚଳର ଅନ୍ୟ ଜଣେ ନାବାଳିକାକୁ ମଧ୍ୟ ନେଇଥିଲେ। ତେବେ ଦିଲ୍ଲୀରେ ପହଞ୍ଚି ମହିଳାଜଣଙ୍କ ଦୁଇ ନାବାଳିକାଙ୍କୁ ବେଶ୍ୟାଳୟରେ ବିକ୍ରି କରି ଦେଇଥିଲେ। ଅଳ୍ପ ଦିନ ତଳେ ଦିଲ୍ଲୀ ପୁଲିସ ଉଦ୍ଧାର କରି ତାଙ୍କୁ ସମ୍ବଲପୁର ପଠାଇ ଦେଇଛି। ସେ ନିଜ ଘରେ ଅଛନ୍ତି।

ସେପଟେ କିନ୍ତୁ ଧନୁପାଲି ଥାନା ଅଞ୍ଚଳର ନାବାଳିକାଙ୍କ ପତ୍ତା ମିଳୁ ନାହିଁ। ସେ କେଉଁଠି ଓ କେଉଁ ପରିସ୍ଥିତିରେ ଅଛନ୍ତି ଜଣାପଡ଼ୁନି।

୩ ବର୍ଷର ଶିଶୁକୁ ଅପହରଣ କରି ଭିକ୍ଷାବୃତ୍ତିରେ ଲଗାଇଥିଲେ
ସମ୍ବଲପୁର : ସମ୍ବଲପୁରରେ ଶିଶୁ ଚାଲାଣ ରାକେଟ୍‌ ସକ୍ରିୟ କିନ୍ତୁ ପୁଲିସ ହାତ ଖାଲି। ପୁରୀର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ସମ୍ବଲପୁର ଆଣି ଭିକ୍ଷାବୃତ୍ତି କାର୍ଯ୍ୟ ନିୟୋଜନ ଘଟଣାର ପର୍ଦାଫାସ ହେବାର ୨୪ ଘଣ୍ଟା ଅତିକ୍ରାନ୍ତ ହୋଇ ସାରିଥିଲେବି ଏଥିସଂକ୍ରାନ୍ତରେ ପୁଲିସ ହାତବାନ୍ଧି ବସିଛି।

ଏହି ଶିଶୁକନ୍ୟାଟିର ଅସଲ ବାପାମାକିଏ ଏବଂ ହୀରାକୁଦ ଷ୍ଟେସନ ପଡ଼ାର କିନ୍ନରଜଣକ ତାଙ୍କୁ କିଭଳିଭାବେ ଆଣି ପାଖରେ ରଖିଲେ ତାହା ଏବେ ବି ଜଣାପଡ଼ିନି। ଆଶ୍ଚର୍ଯ୍ୟର କଥା ହେଉଛି ପୁଲିସ ବି ଏ ନେଇ କିଛି ଖୋଳତାଡ଼ କରୁନାହିଁ। ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମାମଲା ମଧ୍ୟ ରୁଜ୍ଜୁ କରାଯାଇ ନାହିଁ। ଅନ୍ୟଦିଗରେ ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁଟିକୁ ସିଡବ୍ଲୁସିରେ ହାଜର କରାଯାଇ ପରେ ଛଚାନପାଲି ସ୍ଥିତ ଶିଶୁଗୃହକୁ ପଠାଇ ଦିଆଯାଇଛି। ପରିଚୟ ଜାଣିବା ପାଇଁ ପୁରୀର ବଳିଆପଣ୍ଡା ଥାନାକୁ ଶିଶୁର ଫଟୋ ପଠାଯାଇଥିବା ଚାଇଲ୍ଡ ଲାଇନର ରାମେଶ୍ବର ଭୋଇ କହିଛନ୍ତି।

ସମ୍ବନ୍ଧିତ ଖବର