ନୟାଗଡ଼/ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗାଁରେ ଦୁଇ ନାବାଳକଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଯାହା ସନ୍ଦେହ କରାଯାଉଥିଲା, ଶେଷରେ ପୁଲିସ ତଦନ୍ତରୁ ସେଇଆ ହିଁ ପ୍ରମାଣିତ ହୋଇଛି। ଦ୍ବିତୀୟ ବିବାହକୁ ଦୁଇ ପୁଅ ବିରୋଧ କରିବାରୁ ପିଶାଚ ବାପା ଓ ଜେଜେମା’ ଉଭୟଙ୍କୁ ତଣ୍ଟିଚିପି ନୃଶଂସ ଭାବେ ହତ୍ୟା କରିଛନ୍ତି। ହତ୍ୟାକାରୀ ବାପା ପ୍ରକାଶ ମହାନ୍ତି (୪୦) ଓ ଜେଜେମା’ ସୌରୀ ମହାନ୍ତି (୬୮)ଙ୍କୁ ଗିରଫ କରାଯାଇଛି। ଏହା ସହ ଏହି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ନୟାଗଡ଼ ଏସ୍‌ପି ଏସ୍.ସୁଶ୍ରୀ କହିଛନ୍ତି। ଅନ୍ୟପକ୍ଷରେ ହତ୍ୟା ଘଟଣାରେ ଅନ୍ୟ ୪ ଜଣଙ୍କର ସଂପୃକ୍ତି ଥିବା ଅଭିଯୋଗ କରି ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ମୃତ ନାବାଳକଙ୍କ ମାମୁ ଲକ୍ଷ୍ମଣ ନାୟକ ଓ ଗ୍ରାମବାସୀ ଦାବି କରିଛନ୍ତି।