କେନ୍ଦ୍ରାପଡ଼ା/ଡେରାବିଶ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଯୋଗୁଁ ଦୁନିଆ ଦେଖିଲେ ଦୁଇ ନାବାଳକ। ଦୁଇ ନାବାଳକ ରାଜେଶ ଓ ଶଙ୍କର ଜନ୍ମରୁ ଦୃଷ୍ଟିଶକ୍ତି ହରାଇ ଥିବାବେଳେ ରାଜ୍ୟପାଳଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ସେମାନେ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି।

Advertisment

ଗତ ଅଗଷ୍ଟ ୧୦ ତାରିଖରେ ରାଜ୍ୟପାଳ କେନ୍ଦ୍ରାପଡ଼ା ଗସ୍ତରେ ଆସିବା ଅବସରରେ ମ୍ୟୁନିସିପାଲିଟି ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେହି ସମୟରେ ପିଲାମାନଙ୍କ ଆଖି ପରୀକ୍ଷା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ପ୍ରସ୍ତାବ ଦେବା ସହିତ ଚିକିତ୍ସାରେ ଯାହା ଖର୍ଚ୍ଚ ହେବ, ସବୁ ରାଜଭବନ ଭରଣା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟପାଳଙ୍କ ପ୍ରତିଶ୍ରୁତି ପରେ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପିଲାଙ୍କ ଚକ୍ଷୁ ପରୀକ୍ଷା ପାଇଁ ପଦକ୍ଷେପ ନେଇଥିଲେ। ଜିଲ୍ଲା ଚକ୍ଷୁ ଡାକ୍ତରଙ୍କ ସହାୟତାରେ ମ୍ୟୁନିସିପାଲିଟି ଦୃଷ୍ଟିହୀନ ବିଦ୍ୟାଳୟ ଓ ମାର୍ଶାଘାଇ ଆରତି ଦେବୀ ମୂକ ଓ ବଧିର ଆବାସିକ ବିଦ୍ୟାଳୟର ମୋଟ ୩୯ ପିଲାଙ୍କୁ ଭୁବନେଶ୍ବରସ୍ଥିତ ଏଲ୍‌ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କ ଚକ୍ଷୁ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଡାକ୍ତର ସୁପାରିସ କରିବା ସହିତ ଅନ୍ୟମାନଙ୍କ ଦୃଷ୍ଟିଶକ୍ତି ଫେରିପାଇବା ସମ୍ଭବ ନୁହେଁ ଜଣାଇଥିଲେ। ଏହି କ୍ରମରେ ୧୨ଜଣଙ୍କ ଉଚ୍ଚତର ଚିକିତ୍ସା ଆରମ୍ଭ ହୋଇଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅପରେସନ୍‌ ପାଇଁ ନିଷ୍ପତ୍ତି ହେଲା। ଅନ୍ୟ ତିନି ଜଣଙ୍କୁ ଉଚ୍ଚକ୍ଷମତା ସ˚ପନ୍ନ ମେସିନ୍‌ ଯୋଗାଇ ଦିଆଗଲା, ଯେଉଁଥିରେ ସେମାନେ ଦେଖିପାରିବେ। ବାକି ଯେଉଁ ପାଞ୍ଚ ଜଣ ରହିଲେ, ସେମାନଙ୍କ କ୍ଷେତ୍ରରେ କିଛି ହେଇପାରିବ ନାହିଁ ବୋଲି ଡାକ୍ତର ସ୍ପଷ୍ଟ କରିଦେଲେ। ଏହାପରେ ଅପରେସନ୍‌ ପାଇଁ ସୁପାରିସ ହୋଇଥିବା ଚାରି ଜଣ ପିଲାଙ୍କ ମଧ୍ୟରୁ ଜଣଙ୍କ ପିତାମାତା ଅପରେସନ୍‌ ପାଇଁ ରାଜି ହେଲେନାହିଁ। ଅନ୍ୟ ଜଣଙ୍କର ଆଖି ନଷ୍ଟ ହେଇଯାଇଥିବା ପରୀକ୍ଷା ଜଣାପଡ଼ିଥିଲା। କିନ୍ତୁ, ଭାଗ୍ୟବାନ ଥିଲେ ରାଜେଶ ମଳିକ ଆଉ ଶଙ୍କର ଦାସ। ସେମାନଙ୍କ ଚକ୍ଷୁରେ ଅସ୍ତ୍ରୋପଚାର ସଫଳ ହୋଇଛି।

ଡେରାବିଶ ଥାନା କୁରୁଜଙ୍ଗା ପ˚ଚାୟତର ନୂଆଗାଁ ଲକ୍ଷ୍ମଣ ମଳିକଙ୍କ ପୁଅ ରାଜେଶ ଏବଂ ବେଲାରପୁର ଗାଁର ଜଟାଧାରୀ ଦାସଙ୍କ ପୁଅ ଶଙ୍କର ଓ ସେମାନଙ୍କ ପରିବାରଙ୍କର ଏଭଳି ଘଟଣାରେ ଖୁସିର ସୀମା ନାହିଁ। ରାଜେଶ ମ୍ୟୁନିସିପାଲିଟି ଦୃଷ୍ଟିହୀନ ବିଦ୍ୟାଳୟ ଓ ଶଙ୍କର ଆରତି ଦେବୀ ମୂକ ଓ ବଧିର ଆବାସିକ ବିଦ୍ୟାଳୟର ପାଠ ପଢ଼ୁଛନ୍ତି। ଅପରେସନ୍‌ ପରେ ଏବେ ଦୁହେଁ ସବୁକିଛି ଦେଖି ପାରୁଛନ୍ତି। ଦୁହେଁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟପାଳ ଆମ ପାଇଁ ଭଗବାନ। ତାଙ୍କ ଉଦ୍ୟମ ପାଇଁ ଆମେ ଆଜି ଦୁନିଆ ଦେଖୁଛୁ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ କହିଛନ୍ତି ରାଜ୍ୟପାଳ ଯାହା କରିଛନ୍ତି, ତାହା ଦେବତୁଲ୍ୟ ଲୋକ ହିଁ କରିଥାନ୍ତି। ଏହି ଘଟଣାରେ ରାଜ୍ୟପାଳଙ୍କ ମତ ଥିଲା ଯେ ସେ କିଛି କରୁନାହାନ୍ତି। ଜଗନ୍ନାଥ ଚାହୁଁଛନ୍ତି ଏ ପିଲା ମାନେ ଦୁନିଆ ଦେଖିବାକୁ। ଜଗନ୍ନାଥ ଚାହିଁଲେ, ପିଲା ମାନେ ନିଜ ଆଖିରେ ଦୁନିଆ ଦେଖିବା ସହିତ ଜଗନ୍ନାଥଙ୍କୁ ବି ଦେଖିବାର ସୁଯୋଗ ପାଇଲେ। ତେବେ ଏହି ଦୁଇ ପିଲାଙ୍କ ଅପରେସନ୍‌ ସଫଳ ହେବା ପରେ ଅରାଜି ଥିବା ସାନୁ ମଳିକଙ୍କ ପିତାମାତା ବି ଝିଅର ଚକ୍ଷୁ ଅପରେସନ୍‌ ପାଇଁ ରାଜି ହୋଇଛନ୍ତି। ୨୦୨୩, ଜାନୁଆରି ୯ ତାରିଖରେ ସାନୁର ଅପରେସନ୍‌ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।