ଜଙ୍ଗଲ ନିଆଁରେ ଫସିଗଲେ ୨ ନାବାଳିକା

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଉପାନ୍ତ କୁନ୍ଦେଇ ପଞ୍ଚାୟତର କାନାଡ଼ିହି ଜଙ୍ଗଲରେ ଲାଗିଥିବା ନିଆଁରେ ଫସି ଯାଇଥିଲେ ଦୁଇ ଜଣ ନାବାଳିକା। ଦୁହେଁ ମହୁଲ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। ଗ୍ରାମବାସୀ ଠିକ୍ ସମୟରେ ପହଞ୍ଚି ଯିବାରୁ ଉଭୟ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ନିଆଁ ଲଗାଇଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଚିହ୍ନଟ କରିଛନ୍ତି। ସଂପୃକ୍ତ ଯୁବକ ବିରୋଧରେ ଥାନାରେ ଏବଂ ବନ ବିଭାଗ ନିକଟରେ ଏତଲା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୭ତାରିଖ ଦିନ କାନାଡ଼ିହି ଜଙ୍ଗଲରେ ନିଆଁ ଲାଗିଥିବା ଗ୍ରାମବାସୀ ଦେଖିଥିଲେ। ସେତେବେଳକୁ ଜଙ୍ଗଲର ପ୍ରାୟ ୮ଶହ ହେକ୍ଟର ଅଞ୍ଚଳ ପୋଡ଼ି ଯାଇଥିଲା। ଏହାପରେ କିଏ ଏବଂ କାହିଁକି ନିଆଁ ଲଗାଇଥିବା ତାହାର ଖୋଳତାଡ଼ ଆରମ୍ଭ କରିଥିଲେ ଗ୍ରାମବାସୀ। ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା କିଛି ଲୋକଙ୍କୁ ପଚାରିବାରୁ ଝଟିଆପାରା ଗାଁର ବିନୋଦ ମେହେର ନାମକ ଯୁବକ ନିଆଁ ଲଗାଇଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିବା ଦୁଇ ନାବାଳିକା ପୁନମ ଗଣ୍ଡ ଏବଂ ଲଲିମା ଗଣ୍ଡ ନିଆଁରେ ଫସି ରହିଥିବା ଗ୍ରାମବାସୀ ଶୁଣିଥିଲେ। ତୁରନ୍ତ ପହଞ୍ଚି ଉଭୟଙ୍କୁ ଅକ୍ଷତ ଅବସ୍ଥାରେ ସେମାନେ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର