ମାଲକାନଗିରିରେ: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ବରେ ସୋମବାର ପୁଣି ଡଙ୍ଗା ବୁଡ଼ି ୨ ନାବାଳକ ନିଖୋଜ ଅଛନ୍ତି। ରାତି ହୋଇଯାଇଥିବାରୁ ଖୋଜାଖୋଜି କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ମଙ୍ଗଳବାର ଦିନତମାମ ଅଗ୍ନିଶମ ବାହିନୀ ଉଭୟ ନାବାଳକଙ୍କୁ ଖୋଜିବାକୁ ଚେଷ୍ଟା କରିଥିବା ବେଳେ ସେମାନଙ୍କର ପତ୍ତା ମିଳିପାରିନାହିଁ। ନିଖୋଜ ନାବାଳକ ଦୁଇଜଣ ହେଲେ ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ୍ ପଞ୍ଚାୟତର ସିନ୍ଧିଗୁଡା ଗ୍ରାମର ସଞ୍ଜିତ କିଡିଙ୍ଗି (୧୫) ଓ ବଳରାମ କିଡିଙ୍ଗି (୧୪)। ନିଖୋଜ ଦୁଇ ନାବାଳକକୁ ଗ୍ରାମବାସୀ ମଧ୍ୟ ଖୋଜୁଛନ୍ତି। ତଥାପି ଖୋଜ ଖବର ନାହିଁ।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ସିନ୍ଧିଗୁଡା ଗ୍ରାମର ସଞ୍ଜିତ ଓ ବଳରାମଙ୍କ ସମେତ ଆଉ ୩ ଜଣ ସାଙ୍ଗ ଭୋଜି ଖାଇବାକୁ ପାଡାଲପୁଟ ଗ୍ରାମକୁ ଯାଇଥିଲେ। ସେଠାରୁ ଭୋଜି ଖାଇ ଦେଶୀ ଡଙ୍ଗାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଦେଇ ଫେରୁଥିଲେ। ହେଲେ ଉପରପାର୍ଶ୍ବକୁ ଅତିକ୍ରମ କରୁଥିବାବେଳେ ଅସାବଧନତା ଯୋଗୁଁ ଡଙ୍ଗାଟି ପାଣିରେ ବୁଡ଼ିଯାଇଥିଲା। ସଞ୍ଜିତ ଓ ବଳରାମ ବୁଡି ଯାଇଥିବା ବେଳେ ଅନ୍ୟ ସାଥୀ ଜଳଭଣ୍ଡାରରେ ପହଁରି ପହଁରି କୂଳରେ ପହଞ୍ଚିଯାଇଥିଲେ। ଏନେଇ ସେମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ସମସ୍ତେ ଉଭୟଙ୍କୁ ଖୋଜାଖୋଜି କରିବାକୁ ଯାଇଥିଲେ। କିନ୍ତୁ ପାଇପାରିନଥିଲେ। ଗାଁ ଲୋକ ଓ ଅଗ୍ନିଶମ ବାହିନୀର ଅକ୍ଳାନ୍ ପରିଶ୍ରମ ପରେ ବି ଉଭୟଙ୍କ ଖୋଜ ଖବର ମିଳିନାହିଁ। ପୁଣି ବୁଧବାର ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି କରାଯିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଗତ ୧ ତାରିଖ ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/46f74762-05b0-444b-8d0b-b4bbafe8c3dc.jpg)