ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଘସିପୁରା ବ୍ଲକ୍ ଗଡ଼ବାନ୍ଧଗୋଡ଼ା ଗ୍ରାମରୁ ଦୁଇଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡିରୁ ବିଧାୟକ ବଦ୍ରିନାରାୟଣ ପାତ୍ର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ସୁବ୍ରତ ଚକ୍ର ପ୍ରାର୍ଥୀ ହୋଇଛନ୍ତି। ଉଭୟ ଗୋଟିଏ ଗାଁର ବାସିନ୍ଦା ହୋଇଥିବାରୁ ଏଠାରେ ରୋଚକ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରଥମେ ବିଜେଡି ବଦ୍ରିନାରାୟଣଙ୍କୁ ପ୍ରାର୍ଥୀ ଘୋଷଣ କରିଥିଲା। ଟିକେଟ ମିଳିବାପରେ ବଦ୍ରି ନିଜ ପ୍ରଚାରକୁ ଜୋର୍ଦାର୍ କରିଛନ୍ତି। ଗତକାଲି କଂଗ୍ରେସ ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଟିକେଟ ପାଇବାପରେ ଶ୍ରୀ ଚକ୍ର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଦଳୀୟ ନେତୃବର୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଚକ୍ର କହିଛନ୍ତି, ଘସିପୁରା ନିର୍ବାଚନମଣ୍ଡଳୀରେ ବିଶୃଙ୍ଖଳା ଚରମସୀମାରେ ପହଞ୍ଚିଛି। ଅରାଜକତା, ଦୁର୍ନୀତି ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି।
ନିର୍ବାଚନମଣ୍ଡଳୀରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସାଧାରଣ ଲୋକେ ନିଜ ଅଧିକାର ସାବ୍ୟସ୍ତ କରିବାପାଇଁ ମୁହଁ ଖୋଲିପାରୁ ନାହାନ୍ତି। ଏପରିକି ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ ଆସୁଥିବା ସହାୟତାକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ହଡ଼ପ କରୁଛନ୍ତି। ଶୃଙ୍ଖଳିତ ଘସିପୁରା ଗଠନ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଶ୍ରୀ ଚକ୍ର କହିଛନ୍ତି। ସେହିପରି ଟିକେଟ ପାଇବା ପରେ ଆଜି ସେ ଘଟଗାଁ ମା’ ତାରିଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଗ୍ରାମରେ ଥିବା ନିଜ ସମର୍ଥକଙ୍କୁ ଭେଟିଛନ୍ତି। ଘସିପୁରା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ବ୍ଲକ୍ ସଭାପତି ଦିଲୀପ କୁମାର ଜେନା, ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସମ୍ବିତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଚକ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fsfhhfshfshfshffh.jpg)