ଦୁଇ ମାସରେ ୨୨ ମାମଲାରେ ୨୬ ଦଣ୍ଡିତ

କଟକ: ୨୦୧୮ ବର୍ଷର ପ୍ରଥମ ଦୁଇ ମାସ ଜାନୁଆରି-ଫେବ୍ରୁଆରିରେ ୨୨ଟି ଭିଜିଲାନ୍ସ ମାମଲାରେ ଅଭିଯୁକ୍ତଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଏଥି ମଧ୍ୟରେ ୫ଟି ଆୟ ବହିର୍ଭୂତ ସଂପତ୍ତି ମାମଲା, ୧୦ଟି ଲାଞ୍ଚ ଗ୍ରହଣ(ଟ୍ରାପ୍‌ କେସ୍‌) ମାମଲା ଓ ୭ଟି ସରକାରୀ ଅର୍ଥ ତୋଷାରପାତ ମାମଲା ଅନ୍ତର୍ଭୁକ୍ତ। ଏହି ୨୨ଟି ଭିଜିଲାନ୍ସ ମାମଲାରେ ୨୪ ଜଣ ସରକାରୀ କର୍ମଚାରୀଙ୍କ ସମେତ ୨୬ଜଣଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ ଓ ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଦୋଷୀ ସାବ୍ୟସ୍ତ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ୫ ଜଣ କ୍ଲାସ୍‌-୧ ଅଫିସର, ୪ ଜଣ କ୍ଲାସ୍‌-୨ ଅଫିସର, ୧୨ ଜଣ କ୍ଲାସ-୩ କର୍ମଚାରୀ ଓ ୩ ଜଣ ସାଧାରଣ ସରକାରୀ କର୍ମଚାରୀ। ଡାକ୍ତର, ପୂର୍ବତନ ତହସିଲଦାର, ପୂର୍ବତନ ଉପଜିଲ୍ଲାପାଳ, ପୂର୍ବତନ ନିର୍ବାହୀ ଅଧିକାରୀ, ଶାଖା ପରିଚାଳକ, ପୁଲିସ ଅଧିକାରୀ, ପୂର୍ବତନ ପ୍ରଧାନ ଶିକ୍ଷକ, ସେକ୍ସନ ଅଫିସର, ଅତିରିକ୍ତ ପ୍ରୋଗ୍ରାମ ଅଫିସର, ପୂର୍ବତନ ବରିଷ୍ଠ ଜିଓଲୋଜିଷ୍ଟ, ପୂର୍ବତନ କନିଷ୍ଠ କିରାଣୀ, ଭିଏଲଡବ୍ଲୁ ପ୍ରମୁଖ ଏହି ଭିଜିଲାନ୍ସ ମାମଲା ଗୁଡିକରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ ମାମଲାରେ ଠିକ୍‌ ଢଙ୍ଗରେ ତଦନ୍ତ, ଅଦାଲତରେ ଉପଯୁକ୍ତ ଉପସ୍ଥାପନା ଓ ସଫଳତାର ସହିତ ମାମଲା ପରିଚାଳନା ସହ ଆବଶ୍ୟକ ତଥ୍ୟ ପ୍ରମାଣ ରହିଥିବାରୁ ଦୋଷୀସାବ୍ୟସ୍ତଙ୍କ ସଂଖ୍ୟା ବଢିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର