ଟିକା ନେବା ପରେ ଦୁଇମାସର ଶିଶୁକନ୍ୟା ମୃତ, ଥାନାରେ ଏ‌ତଲା ଦେଲେ ମା’

ଯାଜପୁର ସଦର/ବିଂଝାରପୁର: ଟିକା ନେବାର କିଛି ସମୟ ଭିତରେ ଚେତା ହରାଇଲା ଦୁଇମାସର ଶିଶୁକନ୍ୟା। ସଙ୍ଗେସଙ୍ଗେ ତାକୁ ଡାକ୍ତରଖାନା ନିଆଗଲା। ହେଲେ ସେ ଆଉ ଉଠିଲାନି। ସବୁଦିନ ପାଇଁ ଆଖି ବୁଜିଦେଲା। ଏ ଘଟଣା ପରେ ଭୁଲ୍‌ ଟିକା ଦିଆଯିବାରୁ ମୋ ଝିଅର ମୃତ୍ୟୁ ହୋଇଛି ବୋଲି ବିଂଝାରପୁର ଥାନାରେ ମା’ ଅଭିଯୋଗ କରିଛନ୍ତି।

ହଳଦିଡିହ ପଞ୍ଚାୟତ ଫଳପୁର ଗ୍ରାମର ମାନସ ମଲିକଙ୍କ ପତ୍ନୀ‌ ଲୋଚନ ମଲିକ ତାଙ୍କର ଦୁଇମାସର ଶିଶୁକନ୍ୟାକୁ ନେଇ ଗତକାଲି ପୂର୍ବାହ୍ନରେ ଫଳପୁର ପ୍ରାଥମିକ ବିଦ୍ୟାଳୟକୁ ଟିକା ଦେବାକୁ ଯାଇଥିଲେ। ସେଠାରେ ହଳଦିଡିହ ପଞ୍ଚାୟତର ସ୍ଵାସ୍ଥ୍ୟକର୍ମୀ ଲିଲିପ୍ରଭା ଦାସ ଓ ଫଳପୁରର ଆଶାକର୍ମୀ କୁନିଲତା ମଲିକ ଶିଶୁକୁ ରୋଟା ଓ ପେଣ୍ଟା ଟିକା ଦେଇଥିଲେ। ଟିକା ନେବାର କିଛି ସମୟ ପରେ ଶିଶୁକନ୍ୟା ଅଚେତ ହୋଇଯାଇଥିଲା। ପରିବାର ଲୋକ ତାକୁ ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ। ଏହା ଜାଣିବା ପରେ ଶିଶୁକନ୍ୟାର ମା’ ଲୋଚନ ମଲିକ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଶା ଓ ଏଏନ୍‌ଏମ୍‌ ଭୁଲ ଇଞ୍ଜେକସନ୍ ଦେଇ ତାଙ୍କ ଝିଅକୁ ମାରିଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏଏସଆଇ ଇନ୍ଦ୍ରମଣି ଜୁଆଙ୍ଗ ପହଞ୍ଚି ମୃତଦେହକୁ ଜବତ କରି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛନ୍ତି। ଏ ସଂକ୍ରାନ୍ତରେ ୨୦/୨୧ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି।

ଏ ନେଇ ଡାକ୍ତର ସୁବ୍ରତ କୁମାର ନାୟକଙ୍କୁ ପଚାରିବାରୁ ଶିଶୁଟିକୁ ଜର ଥିଲା କିମ୍ବା ଶ୍ବାସକ୍ରିୟାରେ ସମସ୍ୟା ରହିଥିଲା ତାହା ଜାଣିବାକୁ ପଡ଼ିବ। ତଥାପି ସେମିତି କିଛି କହିହେବ ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର