ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି
ଦୈନିକ ୭୦ହଜାର ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଗଲା
ଭୁବନେଶ୍ବର : ଓଡ଼ିଶାକୁ ‘ଓମିକ୍ରନ୍’ ବିପଦ ଘନେଇବାରେ ଲାଗିଛି। ଦୁଇଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ‘ଓମିକ୍ରନ୍’ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥର ଆକ୍ରାନ୍ତ ହୋଉଛନ୍ତି ୨ ନାବାଳିକା, ଘର ରାଜଧାନୀରେ। ଦୁହେଁ ନିଜ ପରିବାର ସହ ନାଇଜେରିଆରୁ ଫେରିଥିଲେ। ଦୁହିଁଙ୍କୁ ରାଜଧାନୀର ଘରୋଇ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସଂପ୍ରତି ବହୁ ସଂଖ୍ୟାରେ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାରୁ ତହିଁରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗତ ୨୧ତାରିଖରେ ରାଜ୍ୟରେ ଦୁଇ ବିଦେଶ ଫେରନ୍ତା ଓମିକ୍ରନ୍ରେ
ଆକ୍ରାନ୍ତ ଥିବା ଘୋଷଣା ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ଗତ ୧୩ ତାରିଖରେ ଗୋଟିଏ ପରିବାର ନାଇଜେରିଆରୁ ଫେରିଥିଲେ। ବିମାନବନ୍ଦରରୁ ଟାକ୍ସି ଯୋଗେ ସେମାନେ ଘରକୁ ଫେରିଥିଲେ। ବାପାମା’ ଓ ଡ୍ରାଇଭରଙ୍କ ନମୁନା ନେଗେଟିଭ୍ ଆସିଥିବା ବେଳେ ୧୧ ଓ ୧୫ବର୍ଷର ଝିଅଙ୍କ ନମୁନା ପଜିଟିଭ୍ ରହିଥିଲା। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ପଜିଟିଭ୍ ଚିହ୍ନଟ ଦୁଇ ନାବାଳିକାଙ୍କ ଜିନ୍ ଅନୁଶୀଳନରେ ସେମାନେ ଓମିକ୍ରନ୍ରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ବିଦେଶ ଫେରନ୍ତାଙ୍କ ମଧ୍ୟରୁ ସର୍ବାଧିକ ରାଜଧାନୀକୁ ଫେରିଥିବା ବେଳେ ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ୩ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବମିଖାଲ ଜୟଦୁର୍ଗା ନଗର, ଭିଏସ୍ଏସ୍ ନଗର ଓ କସମୋପଲ୍ଲୀରେ କୋଭିଡ ଚିହ୍ନଟ ପରେ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅପରପକ୍ଷରେ ଆଜି କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଓମିକ୍ରନ୍କୁ ନେଇ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଥିବା ସୂଚନା ମିଳିଛି। ଦୈନିକ ଟେଷ୍ଟିଂକୁ ବଢ଼ାଯିବା ସହ ଟିକାକରଣକୁ ଜୋରଦାର କରିବାକୁ ନିର୍ଦେଶ ଦିଆଯାଇଛି। ଏଣିକି ଦୈନିକ ୭୦ହଜାର ଟେଷ୍ଟିଂ ବଜାୟ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ରାଜ୍ୟରେ ନାଇଜେରିଆ ଓ କତାରରୁ ଫେରିଥିବା ବ୍ୟକ୍ତି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଣେ କଟକରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ପାରାଦୀପ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ପୁନର୍ବାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି।