ପୁଷ୍ଟିସାଧନ କେନ୍ଦ୍ର ଗଲେ ଆଉ ଦୁଇ ଶିଶୁ, ଜଣେ ଗର୍ଭବତୀ ମଧ୍ୟ ପୁଷ୍ଟିହୀନତାର ଶିକାର

ପରିସ୍ଥିତି ସୁଧୁରିବାଯାଏ ଔଷଧ ଓ ଖାଦ୍ୟ ଦିଆଯିବ

କୋରେଇ : କୋରେଇ ବ୍ଲକ୍ ପଥରପଦା ପଞ୍ଚାୟତ ବେଙ୍ଗାସାହିରେ ମାଳମାଳ ଶିଶୁ ଅପପୁଷ୍ଟିର ଶିକାର ହେବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବ୍ଲକ୍ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚଳଚଞ୍ଚଳ ହୋଇଉଠିଛି। ଗତ ଦୁଇଦିନ ମଧ୍ୟରେ ସାହିର ୬ ଜଣ ଶିଶୁଙ୍କୁ ପୁଷ୍ଟି ସାଧନ କେନ୍ଦ୍ର(ଏନ୍ଆର୍‌ସି)କୁ ପଠାଯାଇଥିଲା। ଆଜି ଆଉ ୨ ଜଣଙ୍କୁ ଚିହ୍ନଟ କରି ଏନ୍ଆର୍‌ସିକୁ ପଠାଯାଇଛି। ଏଥିସହିତ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଆଜି ଏନ୍ଆର୍‌ସିକୁ ଯାଇଥିବା ଶିଶୁମାନେ ହେଲେ ଜୀବନ ମୁଣ୍ତା ଓ ପୂଜା ମୁଣ୍ତାଙ୍କ ପୁଅ ବୁବୁନି ମୁଣ୍ତା (୧୮ ମାସ), ବଳିଆ ମୁଣ୍ତା ଓ ପତି ମୁଣ୍ତାଙ୍କ ଝିଅ ଶିବାନୀ ମୁଣ୍ତା (୨ ବର୍ଷ ୬ ମାସ)। ୬ ମାସର ଗର୍ଭବତୀ ଥିବା ଶାନ୍ତି ମୁଣ୍ତା ମଧ୍ୟ ଅପପୁଷ୍ଟିର ଶିକାର ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶାନ୍ତିଙ୍କୁ ଆବଶ୍ୟକ ଔଷଧ ଓ ଖାଦ୍ୟ ଦିଆଯାଇଛି।

ଆଜି ପୁଣି ସମସ୍ତ ଶିଶୁଙ୍କ ଓଜନ ମପାଯିବା ସହିତ ଭିଟାମିନ୍ ଔଷଧ ଓ ଖାଦ୍ୟ ଦିଆଯାଇଛି। ସାହିରେ ଥିବା ନଳକୂଅରେ ବ୍ଲିଚିଂ ପାଉଡର ପକାଯିବା ସହିତ ସଫାସୁତରା କରାଯାଇଛି। ସ୍ବାସ୍ଥ୍ୟ ଅଧିକାରୀ ଭାରତୀ ପଣ୍ତା, ରଶ୍ମିରଂଜନ ପରିଡ଼ା, ମମତା ଦାସ, ଅଙ୍ଗନବାଡ଼ି ସୁପରଭାଇଜର ଅନିମା ମହାନ୍ତି, କର୍ମୀ ଗୀତାଞ୍ଜଳି ବେହେରା, ଆଶାକର୍ମୀ ସୁକାନ୍ତି ସେଠୀ ଶିଶୁ ଓ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଆବଶ୍ୟକ ଔଷଧ ବଣ୍ଟନ କରିଛନ୍ତି।

କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଲୁସି ମହାରଣା ବେଙ୍ଗାସାହିର ଅବସ୍ଥାକୁ ନେଇ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି। ଉପଯୁକ୍ତ ସମୟରେ ଉଚିତ ପଦକ୍ଷେପ ନନେବାରୁ ଆଦିବାସୀଙ୍କ ଏପରି ଅବସ୍ଥା ହୋଇଥିବା କହିଛନ୍ତି। ମହିଳା ଓ ଶିଶୁଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବେଙ୍ଗାସାହିରେ କାର୍ଯ୍ୟକାରୀ ହୋଇନାହିଁ। ଗର୍ଭବତୀ ଓ ଶିଶୁଙ୍କୁ ନିୟମିତ ଭାବେ ଆବଶ୍ୟକ ଖାଦ୍ୟ, ଔଷଧ ଦିଆଯାଉ ନଥିବା ଶ୍ରୀମତୀ ମହାରଣା କହିଛନ୍ତି। ମାସମାସ ଧରି ଶିଶୁମାନେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉନାହାନ୍ତି। ବିଭାଗ ପକ୍ଷରୁ ମଧ୍ୟ ଘରଘର ବୁଲି ତଦାରଖ କରାଯାଉନାହିଁ। ନବଜାତ ଶିଶୁମାନେ ଉପଯୁକ୍ତ ଖାଦ୍ୟ ପାଉନାହାନ୍ତି। ଏନେଇ ଯଦି ନିୟମିତ ପଦକ୍ଷେପ ନିଆ ନଯାଏ ବେଙ୍ଗାସାହିର ଅବସ୍ଥା ନଗଡ଼ା ଭଳି ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର