ଯାଜପୁର ଜିଲ୍ଲାରେ ଘୋଷଣା ହେଲା ଆଉ ୨ଟି କଣ୍ଟେନମେଣ୍ଟ ଜୋନ୍

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ପୁଣି ୨ଟି ପଞ୍ଚାୟତ କଣ୍ଟେନମେଣ୍ଟଜୋନ ଘୋଷଣା ହୋଇଛି । ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ଦଶରଥପରୁ ବ୍ଲକର କଟିକଟା ଓ ମଲ୍ଲିକାପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଜି ସକାଳ ୮ଟାରୁ ଲାଗୁ ହୋଇଥିବା ଏହି କଣ୍ଟେନମେଣ୍ଟ ଜୋନ ଆଗାମୀ ମେ’ ମାସ ୧୦ ତାରିଖ ଯାଏଁ ବଳବତ୍ତର ରହିବ ।

ସୂଚନା ଅନୁସାରେ କଟିକଟା ପଞ୍ଚାୟତର କଟିକଟା ଓ ବହିପୁର ଗାଁକୁ ଏବଂ ମଲ୍ଲିକାପୁର ପଞ୍ଚାୟତର ମହାନ୍ତିପାଟଣା ଓ ମଲ୍ଲିକାପୁର ଗାଁର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପୂର୍ବରୁ ବିରଜାପୁର ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ।

ସେହିପରି ଦୋକାନଗୁଡ଼ିକ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଗାଇଡଲାଇନ ଜାରି କରାଯାଇଛି । ଜିଲ୍ଲାରେ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଦୋକାନଗୁଡ଼ିକ ଖୋଲିବ । କେବଳ ଔଷଧ, ପାଥୋ ଲ୍ୟାବ, ଗ୍ରୋସରୀ ଓ ପରିବା ଦେକାନ ଖୋଲିବା ପାଇଁ ଅନୁମତି ମିଳିବ । ଆମିଷ ଦୋକାନ ଗୁଡ଼ିକ ବୁଧବାର, ଶୁକ୍ରବାର ଓ ରବିବାର ଖୋଲିବ । କିନ୍ତୁ ବହି ଦୋକାନ କେବଳ ରବିବାର ଖୋଲିବ । କୃଷି ଉପକରଣ, ଏଲପିଜି ଗ୍ୟାସ ଏଜେନ୍ସି, ଫ୍ୟାନ ମରାମତି ଦୋକାନ, ମୋବାଇଲ ରିଚାର୍ଜ, ସାଇକେଲ ମରାମତି, ଫଳ ଓ କ୍ଷୀର ଦୋକାନ ଖୋଲିବ । ସେହିଭଳି ଜାତୀୟ ରାଜପଥରେ ନିଦ୍ଦିଷ୍ଟ ଅନୁମତିପ୍ରାପ୍ତ ଢାବା ଖୋଲିପାରିବ ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଏପର୍ଯ୍ୟନ୍ତ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୧୬ ଜଣଙ୍କୁ କଳିଙ୍ଗନଗରସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଜିଲ୍ଲାରେ ମୋଟ ୮ଟି କଣ୍ଟେନମେଣ୍ଟ ଜୋନ ଅଛି । ଏସବୁ ଅଞ୍ଚଳରେ ଲୋକଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି ।

ସମ୍ବନ୍ଧିତ ଖବର