ରାଜ୍ୟରେ କରୋନାରେ ଆଉ ୨ ଜଣ ମୃତ!

ଭୁବନେଶ୍ବର : ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ପ୍ରାଣ ହରାଇଥିବା କଥା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ତେବେ ରାଜଧାନୀରେ ଚିକିତ୍ସିତ ହେଉଥିବା ଆଉ ଦୁଇ ଜଣ ବ୍ୟକ୍ତି ମଧ୍ୟ କରୋନାରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ୮୦ ବର୍ଷର ବୃଦ୍ଧ ଏମ୍‌ସରେ କରୋନାରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଏହାସହ ଗଞ୍ଜାମ ଜିଲ୍ଲାର ୪୬ ବର୍ଷର ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ହୋଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ସରକାରଙ୍କ ଘୋଷଣା ପରେ ଏହି ଦୁଇଜଣ କରୋନା କିମ୍ବା କରୋନା ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି, ତାହା ସ୍ପଷ୍ଟ ହୋଇପାରିବ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଙ୍କୀ ଅଞ୍ଚଳର ଏହି ବ୍ୟକ୍ତିଜଣକ ଗତ ୧୯ ତାରିଖରେ ଏମ୍‌ସରେ ଭର୍ତି ହୋଇଥିଲେ। ତାଙ୍କର ଅନ୍ତଃନଳୀରେ ସମସ୍ୟା ରହିଥିଲା। ୨୦ ତାରିଖ ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ନମୁନା ପରୀକ୍ଷାରେ ସେ ପଜିଟିଭ୍ ଥିବା ଜଣାପଡ଼ିଛି। ଏହାକୁ ମିଶାଇ ଏମ୍‌ସରେ ଏ ପର୍ଯ୍ୟନ୍ତ ୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି କୋଭିଡ୍‌ ହସ୍ପିଟାଲରେ ଗଞ୍ଜାମ ଜିଲ୍ଲାର ଜଣେ ୪୬ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ସେ ଏକାଧିକ ରୋଗରେ ପୂର୍ବରୁ ପୀଡ଼ିତ ଥିବା ଜଣାପଡ଼ିଛି।

ରାଜ୍ୟରେ ଏଯାଏ କରୋନାରେ ୧୨ଜଣଙ୍କ ମୃତ୍ୟୁ ‌ହୋଇଥିବା ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିବା ବେଳେ ‌କରୋନା ପଜିଟିଭ୍ ଥାଇ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର