ଜାଡ଼ ଆଉ ଦୁଇ ଦିନ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ଫଳରେ ରାଜ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେବ। ଓଡ଼ିଶା ମଧ୍ୟକୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ଓଡ଼ିଶାରେ ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ତୀବ୍ର ଶୀତ ଲହରୀ ପ୍ରବାହକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ଅନୁଗୁଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିଭଳି ନୂଆପଡ଼ା, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କଳାହାଣ୍ଡି, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ସତର୍କ ରହିବାକୁ ଓ ରାତିରେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ଆସନ୍ତାକାଲି ଭଳି ୨୩ ତାରିଖ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଙ୍ଗଳବାର ରାତିରୁ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବ। ୨୭ ତାରିଖ ଆଡ଼କୁ ପୁଣି କିଛି ଶୀତ କମିବ। ଡିସେମ୍ବର ଶେଷ ସୁଦ୍ଧା ଶୀତର ପ୍ରକୋ‌ପ ଯଥେଷ୍ଟ କମିବ। ୨୫ ତାରିଖରୁ ରାଜ୍ୟରେ କୁହୁଡ଼ି ପଡ଼ିବ ବୋଲି ଡ. ପଶୁପାଳକ କହିଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଛି। କନ୍ଧମାଳ ଜିଲ୍ଲା ଫୁଲବାଣୀଠାରେ ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଓଡ଼ିଶାର ୧୧ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରିରୁ କମ୍‌ ରହିଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ିଠାରେ ୬ ଡିଗ୍ରି, ଅନୁଗୁଳଠାରେ ୬.୬ ଡିଗ୍ରି, କୋରାପୁଟଠାରେ ୭ ଡିଗ୍ରି, ଝାରସୁଗୁଡ଼ାରେ ୭.୫ ଡିଗ୍ରି ଓ ବାରିପଦାଠାରେ ୭.୬ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର