ରାଜ୍ୟରେ ଆଉ ୨ ଦିନ ଶୀତ

ଉତ୍ତର ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି

ଭୁବନେଶ୍ବର: ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବା ସହ ରାତ୍ରି ତାପମାତ୍ରା କମ୍‌ ରହିଛି। ଫଳରେ ରାଜ୍ୟରେ ଶୀତ ପ୍ରକୋପ ଅଧିକ ରହିଛି। ଏଥିସହ ଆଜି ସକାଳେ ଗଜପତି, ସୋନପୁର, କନ୍ଧମାଳ ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ରାଜ୍ୟରେ ଶୀତ ଧୀରେ ଧୀରେ କମିବ ଓ ୭ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତା ୨ ଦିନ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପ‌ଟେ ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୭ ରୁ ୧୪ ତାରିଖ ଯାଏ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍ସର ପ୍ରଭାବରେ କିଛି କିଛି ସ୍ଥାନରେ ହାଲୁକା ଓ କେତେକ ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି। ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର କହିଛି, ୯ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶା ଓ ୧୦ରୁ ୧୪ ତାରିଖ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆଜି ଦାରିଙ୍ଗବାଡ଼ିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବ‌ା ବେଳେ ରାଜ୍ୟର ଆହୁରି ୪ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ଫୁଲବାଣୀରେ ୯ ଡିଗ୍ରି, ଟିଟିଲାଗଡ଼ରେ ୯.୩ ଡିଗ୍ରି, କେନ୍ଦୁଝରରେ ୯.୨ ଡିଗ୍ରି ଓ ଭବାନୀପାଟଣାରେ ୯.୯ ଡିଗ୍ରି ଲେଖାଏ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ର‌ା ୧୨.୮ ଡିଗ୍ରି ଓ କଟକରେ ୧୨.୬ ଡିଗ୍ରି ଲେଖାଏ ରହିଥିବା ଜଣାପଡ଼ିଛି। ଆସନ୍ତାକାଲି ମଧ୍ୟ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ୧୩ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର