କେନ୍ଦୁଝର: ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଛନ୍ତି କେନ୍ଦୁଝର ଜିଲ୍ଲା ବେଲ୍‌ଦା ବିଟ୍‌ର ବନରକ୍ଷୀ ମିତ୍ରଭାନୁ ନାଏକ। ତାଙ୍କ ଉଦ୍ୟମରେ ପ୍ରଥମେ ବେଲଦା ବିଟ୍‌ ଅନ୍ତର୍ଗତ ମହାଦେବପୁର ଗାଁରେ ଜଙ୍ଗଲ ସୃଷ୍ଟି କରାଯାଇ ତାହାକୁ ମିତ୍ରଭାନୁ ବନ ନାମରେ ନାମିତ କରାଯାଇଥିଲା। ଏବେ ସେ ମହାଦେବପୁର ଓ କେନ୍ଦୁଆରେ ଆଉ ଦୁଇଟି ଜଙ୍ଗଲ ସୃଷ୍ଟି କରିଛନ୍ତି। ଏହାକୁ ମିତ୍ରଭାନୁ ବନ-୨ ଓ ମିତ୍ରଭାନୁ ବନ-୩ ନାମରେ ନାମିତ କରିଛି ବନ ବିଭାଗ। କେନ୍ଦୁଝର ବନଖଣ୍ଡର ବେଲଦା ବିଟ୍‌ରେ ବନରକ୍ଷୀ ଭାବେ କାମ କରନ୍ତି ମିତ୍ରଭାନୁ ନାଏକ। ସେ ଅତ୍ୟନ୍ତ ପରିଶ୍ରମୀ ଓ ଦାୟିତ୍ବବାନ। ଦୁଇବର୍ଷ ତଳେ ପ୍ରଥମେ ବେଲଦା ବିଟ୍‌ ଅନ୍ତର୍ଗତ ମହାଦେବପୁର ଗାଁରେ ଖାଲି ପଡ଼ିଥିବା ଏକ ବିଶାଳ ପଡ଼ିଆରେ ଗଛ ଲଗାଇବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ଗଛ ଲଗାଇବା ଯେତିକି ବଡ଼ କଥା ନୁହେଁ, ଗଛର ଯତ୍ନ ଓ ସୁରକ୍ଷା ସବୁଠୁ ବଡ଼ ଆହ୍ବାନ ଥିଲା। ମିତ୍ରଭାନୁଙ୍କୁ ଉକ୍ତ ପଡ଼ିଆରେ ଗଛ ଲଗାଇବା ଦାୟିତ୍ବ ଦିଆଯାଇଥିଲା। ମିତ୍ରଭାନୁ ପ୍ରଥମେ ନିକଟସ୍ଥ ମହାଦେବପୁର ଓ ପୋଟଳ ଗାଁକୁ ଯାଇ ସଭାସମିତି କରି ଲୋକଙ୍କୁ ବୁଝାଇବା ସହ ସେଠାରେ ଗଛ ଲଗାଇବା ପାଇଁ ମନେଇବାରେ ସଫଳ ହୋଇଥିଲେ। ଏହାପରେ ଗଛଲଗା ଆରମ୍ଭ ହୋଇଥିଲା। ଏଠାରେ ମିତ୍ରଭାନୁଙ୍କ ଆଗ୍ରହକ୍ରମେ ୨୦ ହେକ୍ଟର ଜମିରେ ଆମ୍ବ, ପଣସ, ଜାମୁକୋଳି, ଅଁଳା, ଓଉ ଆଦି ଗଛ ଲଗାଯାଇଥିଲା। ତାଙ୍କ ଉଦ୍ୟମରେ ଗଛ ଗୁଡ଼ିକ ଭଲ ବଢ଼ିବା ସହ ସୁରକ୍ଷିତ ରହିଥିଲା। ଏଥିପାଇଁ ଗତବର୍ଷ ବନ ବିଭାଗର ଆରସିସିଏଫ୍‌ ଓ ଡିଏଫ୍‌ଓଙ୍କ ସୁପାରିସକ୍ରମେ ଏହି ଜଙ୍ଗଲର ନାମ ମିତ୍ରଭାନୁ ବନ ବୋଲି ରଖାଯାଇଥିଲା।

Advertisment

ଏତିକିରେ କଥା ଅଟକି ଯାଇ ନଥିଲା। ଏବର୍ଷ ତାଙ୍କ ଉଦ୍ୟମରେ ଦୁଇଟି ସ୍ଥାନରେ ଖୋଲାପଡ଼ିଆରେ ଗଛ ଲଗାଯାଇଛି। ଗତବର୍ଷ ମହାଦେବପୁରଠାରେ ୧୮ ହେକ୍ଟର ଜମି‌ରେ ପୁଣି ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା। ଚଳିତବର୍ଷ ନିକଟସ୍ଥ କେନ୍ଦୁଆ ଗ୍ରାମରେ ୮ ହେକ୍ଟର ଜମିରେ ଆମ୍ବ, ପଣସ, ଜାମୁକୋଳି, ଅଁଳା, ଓଉ ଏବଂ ୭ ହେକ୍ଟର ଜମିରେ ଫାଶୀ ଗଛ ଲାଗଯାଇଥିଲା। କିଛିଦିନ ତଳେ ଡିଏଫ୍‌ଓ ଏଚ୍‌ଡି ଧନରାଜ, ଏସିଏଫ୍‌ ପ୍ରଭାତ କୁଅଁର, ଏସିଏଫ୍‌ ଜିତେନ୍ଦ୍ର ବେହେରା ବୃକ୍ଷରୋପଣ କରାଯାଇଥିବା ଅଞ୍ଚଳ ପରିଦର୍ଶନ କରିଥିଲେ। ଗଛ ଗୁଡ଼ିକ ସୁରକ୍ଷିତ ଓ ସୁସ୍ଥ ‌ଥିବା ଦେଖିବା ପରେ ପୂର୍ବ ବନାଞ୍ଚଳ ପରି ଏହି ଦୁଇଟି ବୃକ୍ଷରୋପଣ ଅଞ୍ଚଳକୁ ମିତ୍ରଭାନୁଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ। ଏବେ ମହାଦେବପୁର ଓ କେନ୍ଦୁଆ ବୃକ୍ଷରୋପଣ ଅଞ୍ଚଳକୁ ମିତ୍ରଭାନୁ ବନ-୨ ଓ ମିତ୍ରଭାନୁ ବନ-୩ ଭାବେ ନ‌ାମିତ କରାଯାଇଛି। ଏ ସମ୍ପର୍କରେ ବନରକ୍ଷୀ ମିତ୍ରଭାନୁ ନାଏକ କହିଛନ୍ତି, ସେ କେବଳ ପରିଶ୍ରମ କରିଛନ୍ତି। ଗଛ ଗୁଡ଼ିକ କିଭଳି ବଞ୍ଚି ରହି ଜଙ୍ଗ ସୃଷ୍ଟି ହେବ ସେଥିପାଇଁ ଉଦ୍ୟମ କରିଥିଲେ। ଡିଏଫ୍‌ଓ ସାର୍‌ଙ୍କ ଉଦାରତା ପାଇଁ ଏହି ଅଞ୍ଚଳକୁ ତାଙ୍କ ନାମରେ ନାମିତ କରାଯାଇଛି। ଏହା ତାଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ ବୋଲି ମିତ୍ରଭାନୁ କହିଛନ୍ତି।