ଭୁବନେଶ୍ବର : ଆସନ୍ତା ଦୁଇ ସପ୍ତାହରେ ବଙ୍ଗୋପସାଗରରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ନଭେମ୍ବର ଦ୍ବିତୀୟ ଓ ତୃତୀୟ ସପ୍ତାହରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ହେଇଛନ୍ତି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶୁକ୍ରବାର ଦିନ ସୁମାତ୍ରା ଦ୍ବୀପ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଘନୀଭୂତ ହେବ ଓ ୯ ତାରିଖରେ ଲଘୁଚାପରେ ପରିଣତ ହେବ। ୧୨ ବା ୧୩ତାରିଖରେ ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ। ଦକ୍ଷିଣ ଆରବସାଗରରେ ବର୍ତ୍ତମାନ ଥିବା ଲଘୁଚାପ କ୍ଷେତ୍ର ସେତେବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବାରୁ ପବନ ସେଠାକୁ ଟାଣି ହେବ। ଏଣୁ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ନ ହୋଇପାରେ। ଫଳରେ ଚେନ୍ନାଇ ସହ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ। ଏହା ପ୍ରଭାବରେ ଭୁବନେଶ୍ବର, ଗୋପାଳପୁର, ପୁରୀ ଓ ପାରାଦୀପ ସମେତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ୧୧ ଓ ୧୨ ତାରିଖରେ ପ୍ରବଳ ବର୍ଷା ହେବ। ଉପକୂଳ ଜିଲ୍ଲାର ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ସହିତ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ରାୟଗଡ଼ା, କୋରାପୁଟ, ଓ ମାଲକାନଗିରିରେ ମଧ୍ୟ ହାଲୁକାରୁ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ୧୦ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। ଭୁବନେଶ୍ବର ସମେତ ଉପକୂଳରେ ୬ ଓ ୭ରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି କମିବା ବେଳେ କନ୍ଧମାଳ ସମେତ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ୧୦ ସୁଦ୍ଧା ପ୍ରାୟ ୩ ଡିଗ୍ରି କମିପାରେ। ୧୧ରୁ ପୁଣି ରାତ୍ରି ତାପମାତ୍ରା ବଢ଼ିବ। ଭୁବନେଶ୍ବର ସମେତ ଉପକୂଳରେ ୧୧ରୁ ୧୩ପର୍ଯ୍ୟନ୍ତ ପାଗ କୋହଲା ସହ କୁହୁଡ଼ି ହେବାର ସମ୍ଭାବନା ରହିଛି। ଗତ ୩୦ ତାରିଖରେ କରାଯାଇଥିବା ପୂର୍ବ ଆକଳନ ଅନୁଯାୟୀ, ୧୪ ତାରିଖ ବେଳକୁ ଥାଇଲାଣ୍ଡ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ବିସ୍ତୃତ ହେବ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଉପକୂଳକୁ ମୁହାଁଇବ। ଏହାର ପ୍ରଭାବ ମଧ୍ୟ ରାଜ୍ୟରେ ପଡ଼ିବ। ତେବେ ୧୪ ତାରିଖ ବେଳକୁ ଏହା ଅଧିକ ସଠିକ୍ କହି ହେବ।