ଆସୁଛି ଆଉ ୨ଟି ଲଘୁଚାପ: ରାଜ୍ୟରେ ୨ ସପ୍ତାହ ବର୍ଷିବ

ଭୁବନେଶ୍ବର : ବଙ୍ଗୋପସାଗରରେ ୨୯ ତାରିଖ ଓ ଅକ୍ଟୋବର ୯ ତାରିଖରେ ଦୁଇଟି ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨ ସପ୍ତାହ ରାଜ୍ୟରେ ବର୍ଷା ଜାରି ରହିବ। ଏହା ବ୍ୟତୀତ ମୌସୁମୀ ବର୍ଷା ମଧ୍ୟ ଜାରି ରହିବ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପାଣିପାଗ ଅନୁକୂଳ ଥିବାରୁ ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏକାଧିକ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉପକୂଳରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅକ୍ଟୋବର ୧ରୁ ୫ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଉତ୍ତର ଉପକୂଳରେ ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ମଧ୍ୟମ ବର୍ଷା ଓ ସ୍ଥାନେସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବର ୩ ତାରିଖରେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ସିଷ୍ଟମ୍‌ ୫ ତାରିଖରେ ଫିଲିପାଇନ୍‌ସ୍‌ ଓ ୬ ତାରିଖରେ ଦକ୍ଷିଣ ଚୀନ୍‌ ସାଗର ଦେଇ ୭ ତାରିଖରେ ମିଆଁମାର୍‌ ଉପକୂଳ ଓ ୮ ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ୯ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଧ୍ୟ ରାଜ୍ୟରେ ଭଲ ବର୍ଷା ହୋଇପାରେ।

ଅନ୍ୟପକ୍ଷରେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୨୯ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକରେ ପ୍ରବଳ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଦୁର୍ବଳ ହେଉଛି ‘ଗୁଲାବ’
ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ‘ଗୁଲାବ’ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି। ଏହା ବର୍ତ୍ତମାନ ଜଗଦଲ୍‌ପୁର(ଛତିଶଗଡ଼)ର ଦକ୍ଷିଣ ପୂର୍ବରୁ ୯୦ କିମି ଓ ମାଲକାନଗିରିର ପୂର୍ବ-ଉତ୍ତରପୂର୍ବ ଦିଗରୁ ୬୫ କିମି ଦୂରରେ ରହିଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ପଶ୍ଚିମକୁ ଗତି କରି ଦୁର୍ବଳ ହୋଇ ଅବପାତର ରୂପ ନେବ ଓ ୨୪ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ।

ସମ୍ବନ୍ଧିତ ଖବର