ଆଗକୁ ଆଉ ଦୁଇଟି ଲଘୁଚାପ: ୧୮ରୁ ଉତ୍ତର ଓଡ଼ିଶାରେ ବର୍ଷା

ଭୁବନେଶ୍ବର : ଗୋଟିଏ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରା ଓଡ଼ିଶାକୁ ବୁଡ଼େଇବା ପରେ ଏବେ ବଂଗୋପସାଗ‌ରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିଲାଣି। ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ବର ନିକଟରେ ରହିବ। ଏହା ବର୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗରେ ମିଶିବା ପରେ ସୁନ୍ଦରଗଡ଼ ଦେଇ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ। ୨୧ ତାରିଖ ପର୍ଯ୍ୟନ୍ତ ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା କମ୍‌। ତେବେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକ ଆହୁରି ଆକଳନ କରିଛନ୍ତି ଯେ ୨୩ ତାରିଖରେ ମିଆଁମାର ନିକଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ତେବେ ତାହାର ବିଶେଷ ପ୍ରଭାବ ରହିବ ନାହିଁ। ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳୟରେ ହିଁ ରହିବ। ତା’ପରେ କିଭଳି ରୂପ ନେବ ସେନେଇ ବର୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ। ସେ ଦୃଷ୍ଟିରୁ ଦେଖିଲେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ସମୁଦାୟ ବର୍ଷାର ପରିମାଣ ୫୦ରୁ ୭୦ ମିମି ହୋଇପାରେ। ସ୍ଥାନେ ସ୍ଥାନେ ୯୦ ମିମି ବର୍ଷା ହେବ। ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳରେ, ୨୨ରୁ ୨୪ ତାରିଖ ଯାଏ ଦକ୍ଷିଣ ଅଭ୍ୟନ୍ତରୀଣରେ ଓ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ୨୪ ତାରିଖରୁ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଆହୁରି କମିବ। ତେବେ ମୌସୁମୀ ସକ୍ରିୟ ହେତୁ ବିକ୍ଷିପ୍ତ ହାଲୁକା ବର୍ଷା ହୋଇପାରେ।

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ‌ହେଉଛି ଯେ ଅବପାତ ଦୁର୍ବଳ ହେବା ସହ ଲଘୁଚାପରେ ପରିଣତ ହୋଇ ମଧ୍ୟପ୍ରଦେଶ ଉପରେ ରହିଛି। ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବରରେ ଏବଂ ୧୯ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏତେ ବର୍ଷା ସ‌ତ୍ତ୍ବେ ବର୍ତମାନ ସୁଦ୍ଧା ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୯ ଜିଲ୍ଲାରେ ସ୍ବାଭାବିକ ହୋଇଛି। ସେପ୍ଟେମ୍ବରରେ ମୋଟ ୨୭୧.୪ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୧୩୨.୯ ମିମିଠାରୁ ଅଧିକ।

ସମ୍ବନ୍ଧିତ ଖବର