ଚଣ୍ଡିଖୋଲରେ ଖୋଲିବ ଆଉ ଦୁଇଟି ନୂତନ କୋର୍ଟ

ଚଣ୍ଡିଖୋଲ : ଚଣ୍ଡିଖୋଲ କୋର୍ଟ ପରିସରରେ ଆଉ ଦୁଇଟି ନୂତନ କୋର୍ଟ ଖୋଲିବ। ଏଠାରେ ପୂର୍ବରୁ ଜେଏମ୍ଏଫସି ଓ ସିଭିଲ ଜଜ୍‌ କୋର୍ଟ ରହିଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଖୁବ୍‌ ଶୀଘ୍ର ଏଠରେ ନୂତନ ଭାବେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଓ ଅତିରିକ୍ତ ସିଭିଲ ଜଜ୍‌ (ଜୁନିଅର ଡିଭିଜନ) ଖୋଲାଯିବ ବୋଲି ଚଣ୍ଡିଖୋଲ କୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। ଆଇନ ବିଭାଗ ଚିଠି ନମ୍ବର ୪୭୧୦/୨୭/୪/୨୨ ଅନୁଯାୟୀ ରାଜ୍ୟରେ ୩୪ ଟି ନୂତନ କୋର୍ଟ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିମଧ୍ୟରୁ ଚଣ୍ଡିଖୋଲ ଠାରେ ଦୁଇଟି ନୂତନ କୋର୍ଟ ଖୋଲାଯିବ। ଏନେଇ ଆଇନ ବିଭାଗ ଅତିରିକ୍ତ ସଚିବ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟାରଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ ୨୦୦୭ ମସିହାରେ ଏଠାରେ ପ୍ରଥମେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା କରାଯାଇଥିଲା। ପରେ ଗତ ୨୦୧୮ ମସିହାରେ ସବଜଜ୍‌ କୋର୍ଟ ମଧ୍ୟ ଖୋଲା ଯାଇଥିଲା। ଚଣ୍ଡିଖୋଲ ଠାରେ ଆଉ ଦୁଇଟି କୋର୍ଟ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନମନ୍ତ୍ରୀ ପ୍ରତାପ ଜେନା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବାର୍‌ ଆସୋସିଏସନ ସଭାପତି ଦେବରାଜ ବେହେରା ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାଶଙ୍କ ସମେତ ସମସ୍ତ କର୍ମକର୍ତ୍ତା କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର