ପାତ୍ରପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଗତ ୫ ମାସ ଭିତରେ ଜିଲ୍ଲାର ୨୦ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟ ଓ ଦେଶରେ ମୃତ୍ୟୁ ହୋଇସାରିଲାଣି। ସେହିପରି କିଛି ଶ୍ରମିକ ଏବେବି ନିର୍ଯାତିତ ‌ହୋଇ ଫସିରହିଛନ୍ତି। ଏହି ଧାରାରେ ପୁଣି ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଘଟଣା। ଗଞ୍ଜାମ ଜିଲ୍ଲାର ୨ ଜଣ ଯୁବ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ପାତ୍ରପୁର ବ୍ଲକ୍ ବରଙ୍ଗ ପଞ୍ଚାୟତ ଗୋପାଳପଲ୍ଲୀ ଗ୍ରାମର କେଶବ ରେଡ୍ଡୀଙ୍କ ପୁଅ କେ.ଭୀମାରାଇ (୨୬) ଓ ସନ୍ତୋଷପୁର ଗ୍ରାମର କେ.ତାରକେଶୁ (୨୨)।

Advertisment

ଉଭୟ ପ୍ରାୟ ଦୁଇ ବର୍ଷ ହେଲା ସିକନ୍ଦରାବାଦ ନିକଟ ସାଙ୍ଗାରେଡ୍ଡୀ ଜିଲ୍ଲା ଆଲୁଓ୍ବାଲୁ ଥାନା ଇଲାକାରେ ଏକ ଘରୋଇ କମ୍ପାନିରେ ଜଣେ ଠିକାଦାରଙ୍କ ଜରିଆରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ପ୍ରତିଦିନ ଭଳି ଗତକାଲି ମଧ୍ୟ ସନ୍ଧ୍ୟାରେ ଉଭୟ କାମ ସାରି ବାଇକ୍ ଯୋଗେ ସେମାନଙ୍କ ଭଡ଼ାଘରକୁ ଫେରୁଥିଲେ। ରାସ୍ତାରେ ଏକ ବସ୍ ଧକ୍କାରେ ଉଭୟ ଗୁରୁତର ହୋଇଥିଲେ। ସେଠାକାର ଡାକ୍ତରଖାନାରେ ଭୀମା ଓ ତାରକେଶୁଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ସେମାନଙ୍କ ଗ୍ରାମ‌ରେ ପହଞ୍ଚିବା କ୍ଷଣି ଶୋକାକୁଳ ପରିବେଶ ସୃଷ୍ଟି ‌ହୋଇଛି। ଶବ ବ୍ୟବଚ୍ଛେଦ ପରେ ଆସନ୍ତାକାଲି ଉଭୟଙ୍କ ଶବ ଭିଟାମାଟିକୁ ଅଣାଯିବ ବୋଲି ଜଣାପଡ଼ିଛି। ତେବେ ଉଭୟ ଗରିବ ପରିବାରକୁ ଯୁଦ୍ଧକାଳୀନ ଭିତ୍ତିରେ ସରକାରୀ ସହାୟତା ପ୍ରଦାନ ଦାବି ହୋଇଛି।