ଭୁବନେଶ୍ବର : ରାଜ୍ୟରେ ଆଉ ୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ଭୁବନେଶ୍ବରର। ସେମାନଙ୍କ କୋଭିଡ୍ ନମୁନା ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ସଂଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧ ଛୁଇଁଛି। ଅପରପକ୍ଷରେ ରାଜଧାନୀରେ ସମୁଦାୟ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିଲେ। ତେବେ ଆଜି ଆହୁରି ୨ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହାସହ ରାଜଧାନୀରେ ଏବେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨କୁ ହ୍ରାସ ପାଇଛି। ତେବେ କୋଭିଡ୍-୧୯ ପାଇଁ ଲକଡାଉନ୍ ସତ୍ତ୍ବେ ରାଜ୍ୟରେ ଅନ୍ୟ ସମସ୍ତ ଚିକିତ୍ସା ବ୍ୟବସ୍ଥା ଜାରି ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଟିକାକରଣଠାରୁ ଆରମ୍ଭ କରି ହସ୍ପିଟାଲଗୁଡ଼ିକରେ ବର୍ହିବିଭାଗ ବା ଓପିଡି ଓ ଡାଏଲିସିସ୍ ଭଳି ସେବା ଜାରି ରହିଛି। ସେହିପରି ଏହି ସମୟରେ ରାଜ୍ୟରେ ଜରୁରୀ ଆମ୍ବୁଲାନ୍ସ ସେବା ୧୦୮ ଓ ଜନନୀ ଏକ୍ସପ୍ରେସ୍ର ସେବାରେ ବୃଦ୍ଧି ଘଟିଛି। ୧୦୮ ଆମ୍ବୁଲାନ୍ସ ସେବାରେ ୨୦ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଜନନୀ ଏକ୍ସପ୍ରେସ୍ ସେବାରେ ୧୭ପ୍ରତିଶତ ବୃଦ୍ଧି ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହେଲେ ଆଉ ୨ ସଂକ୍ରମିତ, ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୧ରେ ପହଞ୍ଚିଲା
/sambad/media/post_attachments/wp-content/uploads/2020/04/bbs-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)