ଭୁବନେଶ୍ବର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଦୁଇଟି ନୂଆ ରେଳ ଲାଇନ୍ ଓ ଗୋଟିଏ ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପ ଯଥା ସରଡେଗା-ଭାଲୁମୁଡ଼ା ରେଳ ଲାଇନ ଦୋହରୀକରଣ ଓ ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ୍‌ ମଞ୍ଜୁରି ପାଇଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ରେଳ ସଂଯୋଗ ବିହୀନ ଅଞ୍ଚଳକୁ ରେଳ ସେବା ପ୍ରଦାନ କରିବ। ବର୍ତ୍ତମାନର ରେଳ ଲାଇନ୍ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱାର୍କ ବିସ୍ତାର କରିବ। ଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ପ୍ରସ୍ତାବିତ ନୂତନ ରେଳଲାଇନ ସିଧାସଳଖ ସଂଯୋଗ ଯୋଗାଇବ ଏବଂ ଗତିଶୀଳତାକୁ ଉନ୍ନତ କରିବ। ଯାତ୍ରୀ ସହିତ ସାମଗ୍ରୀ ପରିବହନ ଏବଂ ସେବାଗୁଡ଼ିକର ଯାତାୟାତ ପାଇଁ ନିରନ୍ତର ସଂଯୋଗ ଯୋଗାଇବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Advertisment

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ ଏହି ଦୁଇଟି ରେଳ ଲାଇନ୍‌ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ୧୩୮ କିମି ଦୈର୍ଘ୍ୟ ବରଗଡ ରୋଡ୍-ନୂଆପଡା ରୋଡ୍ ନୂତନ ଲାଇନ ନୂଆପଡ଼ା ଓ ବରଗଡ଼ ଭଳି ଆକାଂକ୍ଷା ଜିଲ୍ଲାର ସ୍ୱପ୍ନର ପ୍ରକଳ୍ପ। ଏହି ନୂତନ ରେଳ ଲାଇନ୍‌ ପଶ୍ଚିମ ଓଡିଶାର ପଦ୍ମପୁର ଓ ଅନ୍ୟାନ୍ୟ ସାଂସ୍କୃତିକ ତଥା କୃଷି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦେଇ ଗତି କରିବ। ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ଉନ୍ନତି କରିବ। ବରଗଡ଼ ଓ ନୂଆପଡ଼ାରେ ଦୁଇଟି ଷ୍ଟେସନ୍‌ ଥିବା ବେଳେ ଆହୁରି ୧୧ଟି ନୂଆ ଷ୍ଟେସନ୍‌ ଯଥା ସରସରା, ଡ଼ୁମେରପାଲି, ବିଜେପୁର ରୋଡ, ବାଦିପାଲି, ଧଉରାମୁଣ୍ଡା, ପଦ୍ମପୁର, ଭଗତପୁର, ମାଝିପାଲି, ପାଇକମାଳ ରୋଡ, ଭର୍ତ୍ତୃଣ୍ଡା, ଅଁଳାଯୁବାଠାରେ ନିର୍ମିତ ହେବ। ଏହାମଧ୍ୟରେ ୮୯ଟି ବଡ ବ୍ରିଜ, ୧୭୮ଟି ଛୋଟ ବ୍ରିଜ୍‌ ଓ ୯୧ଟି ରେଳ ଫ୍ଲାଇଓଭର ଓ ଅଣ୍ଡର ବ୍ରିଜ୍‌ ନିର୍ମାଣ ହେବ। ସେହିପରି ୩୭ କିମି ସରଡେଗା-ଭାଲୁମୁଡ଼ା ଦୋହରୀକରଣ ‌ରେଳ ଲାଇନ୍ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସହ ଯୋଡ଼ିବ। ସୁନ୍ଦରଗଡ ଜିଲ୍ଲାର ୧୬ କିମି ଦୂରତା ମଧ୍ୟରେ ଗତି କରିବାକୁ ଥିବାବେଳେ ଅବଶିଷ୍ଟାଂଶ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳରେ ରହିଛି। ଉଭୟ ରାଜ୍ୟର ସୀମା ଜିଲ୍ଲା ମଧ୍ୟରେ ସାଂସ୍କୃତିକ ଓ ସାମାଜିକ ସମ୍ପର୍କକୁ ବହୁତ ଶକ୍ତିଶାଳୀ କରିବ। ସଂଲଗ୍ନ ଗାଁ ଲୋକମାନେ ମଧ୍ୟ ଏହି ରେଳ ଲାଇନରୁ ଉପକୃତ ହେବେ। ସରଡ଼େଗା ଓ ଛତିଶଗଡର ଭାଲୁମୁଡ଼ା ମଧ୍ୟରେ ମୁନ୍ଧ୍ୟାରଖେଟଠାରେ ଏକ ଷ୍ଟେସନ ମଧ୍ୟ ନିର୍ମାଣ କରାଯିବ।

ଏହି ଦୁଇଟି ପ୍ରକଳ୍ପ ପାଇଁ ଯଥାକ୍ରମେ ୧,୩୬୦ କୋଟି ଓ ୨,୯୨୬ କୋଟି ଖର୍ଚ୍ଚ କରାଯିବ। ଏହାବ୍ୟତୀତ ୨୧୭୦ କୋଟି ଟଙ୍କା ବ୍ୟୟରେ ୧୨୧ କିମି ବିଶିଷ୍ଟ ଜାମସେଦପୁର-ପୁରୁଲିଆ-ଆସାନସୋଲ୍ ରେଳ ଲାଇନକୁ ମଞ୍ଜୁର କରାଯାଇଛି। ୪ଟି ରାଜ୍ୟ ଯଥା ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୭ଟି ଜିଲ୍ଲାକୁ ଏହି ୩ଟି ପ୍ରକଳ୍ପ ଯୋଡ଼ିବ। ଏହାଦ୍ବାରା ଭାରତୀୟ ରେଳବାଇ ନେଟୱାର୍କ ପ୍ରାୟ ୩୦୦ କିମି ବୃଦ୍ଧି ପାଇବ। ନୂତନ ପ୍ରକଳ୍ପଗୁଡ଼ିକ ପାଖାପାଖି ୧୩୦୦ ଗାଁ ଓ ୧୯ ଲକ୍ଷ ଜନସଂଖ୍ୟାକୁ ସଂଯୋଗ ଯୋଗାଇବ। କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନ ପଥର ଆଦି ସାମଗ୍ରୀ ପରିବହନ ପାଇଁ ଏହି ପ୍ରକଳ୍ପଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ ପାଲଟିବ। ଦେଶର ଲଜିଷ୍ଟିକ୍ ମୂଲ୍ୟ ହ୍ରାସ, ତୈଳ ଆମଦାନୀ(୧୦ କୋଟି ଲିଟର) ଓ ସିଓଟୁ ନିର୍ଗମନ(୨୪୦ କୋଟି କେଜି) ହ୍ରାସ କରିବାରେ ସାହାଯ୍ୟ କରିବ, ଯାହାକି ୯.୭ କୋଟି ବୃକ୍ଷରୋପଣ ସହିତ ସମାନ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, କଳାହାଣ୍ଡି ସାଂସଦ ମାଳବୀକା ଦେବୀ ଉପସ୍ଥିତ ରହି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଭୁବନେଶ୍ବରରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କହିଲେ, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରଣାଳୟର ଏହି ପ୍ରକଳ୍ପ ଭେଟିଦେବା ଖୁସିର ବିଷୟ। ବରଗଡ଼ ରୋଡ-ନୂଆପଡ଼ା ରୋଡ ପ୍ରକଳ୍ପ ପାଇଁ ଏକାଧିକ ଥର ରେଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ଆସୁଥିଲି। ଏହି ୧୩୮ କିମି ନୂତନ ରେଳପଥ ବରଗଡ଼ ଓ ନୂଆପଡ଼ା ଜିଲ୍ଲା ସହ ପଦ୍ମପୁର ଉପଖଣ୍ଡ ଦେଇ ସମ୍ବଲପୁର, ଝାରସୁଗୁଡ଼ା ଭଳି ଶିଳ୍ପାଞ୍ଚଳ ସହ ରେଳପଥ ମାଧ୍ୟମରେ ସଂଯୁକ୍ତ ହୋଇପାରିବ। ଏହି ରେଳପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପୂର୍ବ ପ୍ରସ୍ତୁତି କରିସାରିଛି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜମି ହସ୍ତାନ୍ତର କରାଯିବ। ଏହି ନୂତନ ରେଳପଥ ଦ୍ୱାରା ୪୭ ଲକ୍ଷ କର୍ମ ଦିବସ ସୃଷ୍ଟି ହୋଇପାରିବ। ଏହି ରେଳପଥ ପାଇଁ ମୋଟ ୯୨୪.୬୪ ହେକ୍ଟର ଜମି ଆବଶ୍ୟକ ରହିଛି। ସେଥିମଧ୍ୟରୁ ବରଗଡ଼ ଜିଲ୍ଲାରେ ୪୮୯.୪୫ ହେକ୍ଟର ଓ ନୂଆପଡ଼ା ଜିଲ୍ଲାରେ ୭୬.୧୯ ହେକ୍ଟର ଜମି ଅନ୍ତର୍ଭୁକ୍ତ ରହିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍‌ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ିହୋଇ ବରଗଡ ରୋଡ୍-ନୂଆପଡା ରୋଡ୍ ନୂତନ ରେଳ ଲାଇନ ସମ୍ବଲପୁର ଓ ଝାରସୁଗୁଡା ସହ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଶିଳ୍ପାଞ୍ଚଳକୁ ସେବା ଯୋଗାଇବ। ଏହି ରେଳ ଲାଇନ ସମ୍ବଲପୁର-ରାୟପୁର ମଧ୍ୟରେ ମଧ୍ୟ ୮୭ କିମି ଦୂରତା ହ୍ରାସ କରାଇବ।