ଭୁବନେଶ୍ବର: ରାଜ୍ୟରେ ଗତକିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ୮ ସହରର ତାପମାତ୍ରା ୪୩° ଉପରେ ରହିଛି। ଝାରସୁଗୁଡ଼ା ଆଜି ୪୩.୮° ସେଲ୍ସିୟସ ସହ ଉତ୍ତପ୍ତ ସହର ତାଲିକାର ଶୀର୍ଷରେ ରହିଛି। ଏହା ପଛକୁ ବାରିପଦାରେ ୪୩.୬°, ନୂଆପଡ଼ା ୪୩.୫°, ତାଳଚେର ୪୩.୪°, ବୌଦ୍ଧ ୪୩.୨°, କେନ୍ଦ୍ରାପଡ଼ା, କଟକ ଓ ବଲାଙ୍ଗୀରରେ ୪୩° ରେକର୍ଡ କରାଯାଇଛି। ଏଥିସହ ୩୩ ସହରର ତାପମାତ୍ରା ୪୦° ଉପରେ ରହିଥିବା ବେଳେ ୨୨ ସହରରେ ୪୨°ରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଦିନର ସର୍ବନିମ୍ନ ତାପମାତ୍ରା ପାରାଦୀପରେ ୩୪.୨° ରହିଥିବା ସୂଚନା ମିଳିଛି। ଗ୍ରୀଷ୍ମକଷ୍ଟରେ ପୂରା ଓଡ଼ିଶା ଛଟପଟ ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ ବିଭାଗ ଆତଙ୍କିତ କଲା ଭଳି ତଥ୍ୟ ଦେଇଛି। ବିଭାଗ ତରଫରୁ ଆଜି ଜାରି ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ଗ୍ରୀଷ୍ମପ୍ରବାହ ପରିସ୍ଥିତି ଲାଗିରହିବ। ପ୍ରଥମ ସପ୍ତାହରେ ସମ୍ଭାବନା ୬୮ ରୁ ୧୦୦% ଥିବା ବେଳେ ଦ୍ୱିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ ୩୪ ରୁ ୬୭% ସମ୍ଭାବନା ରହିଛି। ଏପଟେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆହୁରି ସପ୍ତାହେ କିମ୍ବା ୧୦ ଦିନ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ଏନ୍ଭର୍ନମେଣ୍ଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ୩°ରୁ ଅଧିକ ତାପମାତ୍ରା ବଢ଼ିବାକୁ ଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ତାପମାତ୍ରା ୪୬° ଛୁଇଁବା ଆକଳନ କରାଯାଇଛି।
ପାକିସ୍ତାନ ଓ ଆଫଗାନିସ୍ତାନର ଜଳବାୟୁ ପ୍ରଭାବରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ। ଶ୍ରୀ ସାହୁ କହିଛନ୍ତି ଯେ ପାକିସ୍ତାନ ଓ ଆଫଗାନିସ୍ତାନରେ କ୍ରମାଗତ ପାଣିପାଗରେ ପରିବର୍ତ୍ତନ ହେବା ଦ୍ୱାରା ଅତ୍ୟଧିକ ବର୍ଷା ଲାଗି ରହିଛି। ଏହାର ପ୍ରଭାବ ଭାରତର ପାଣିପାଗ ଉପରେ ପଡ଼ୁଛି। ଏହାଯୋଗୁଁ ମଧ୍ୟ ଭାରତରେ ବର୍ଷା ହେବା ଭଳି ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉନାହିଁ। ପୂର୍ବ ଭାରତକୁ ଉତ୍ତର-ପଶ୍ଚିମ ଦିଗରୁ ଉତ୍ତପ୍ତ ପବନର ପ୍ରବାହ ଯୋଗୁଁ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହୁଛି। ପାକିସ୍ତାନ ଓ ଏହାର ଆଖପାଖ ଅଞ୍ଚଳର ପାଣିପାଗ ଧୀରେ ଧୀରେ ପୂର୍ବ ଭାରତ ଆଡ଼କୁ ମୁହାଁଇବା ଦ୍ୱାରା ଓଡ଼ିଶାରେ ମେ’ ୧ ତାରିଖ ବେଳକୁ ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାପମାତ୍ରା ୩ ରୁ ୪° ହ୍ରାସ ହୋଇପାରେ। ତେବେ ମେ’ ୪ ବେଳକୁ ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ସେ ଆକଳନ କରିଛନ୍ତି।
ଏପଟେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା ୫ ଦିନର ତାପମାତ୍ରାକୁ ନେଇ ଆକଳନ କରିବା ସହ ପ୍ରବଳ ଗ୍ରୀଷ୍ମପ୍ରବାହ ହେବାର ପୂର୍ବାନୁମାନ କରିଛି। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ବା ୨୬ ତାରିଖରେ ଗଜପତି, ଗଞ୍ଜାମ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୩୯ରୁ ୪୩° ତାପମାତ୍ରା ରହିବ। ସେହିଭଳି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୭ ତାରିଖରେ ମଧ୍ୟ ୧୫ ଜିଲ୍ଲାକୁ ରେଡ୍ ଓ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜାଗାରେ ସ୍ବାଭାବିକ ଠାରୁ ୩ ରୁ ୬° ଯାଏଁ ତାପମାତ୍ରା ଅଧିକ ରହିବା ସହ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗିରହିବ। ଆଜି ମୟୂରଭଞ୍ଜ, କଟକ, ନୂଆପଡ଼ା, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ, ଖୋର୍ଦ୍ଧା ଓ ନବରଙ୍ଗପୁରରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ହୋଇଥିଲା।