ବଲାଙ୍ଗୀରରେ ପୁଣି ୨ କରୋନା ପଜିଟିଭ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୦

ଭୁବନେଶ୍ୱର/ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁଇଁତଲା ବ୍ଲକ ବନ୍ଧପଡ଼ା ଗ୍ରାମପଂଚାୟତର ୨ ଜଣ ଯୁବକ ନିକଟରେ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେମାନଙ୍କର ସ୍ୱାବ ନମୁନା ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଜିଲ୍ଲାରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ବଲାଙ୍ଗୀର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗୀର ପୌରପାଳିକା ମଧ୍ୟରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ତାଲପାଲିପଡ଼ା ଅଞ୍ଚଳର ୨ ଯୁବକ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ କୋଭିଡ-୧୯ ହସ୍ପିଟାଲ ପଠାଯାଇଥିଲା । ସେହିଭଳି ଗତ ୧ ତାରିଖରେ ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଲିଖିରିଆ ପଂଚାୟତରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନେ ତାମିଲନାଡୁରୁ ଫେରିଥିଲେ ।

ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୯୧ ହଜାର ୨୨୩ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୮୩୦ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ୨୨୦ ଜଣ ସୁସ୍ଥ ହୋଇଥିବା ବେଳେ ୬୦୬ ଜଣ ଚିକିତ୍ସାଧୀନ ଅଛନ୍ତି । ଚାରି ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।

ତେବେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୨୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୯ ଜଣ, ଭଦ୍ରକ ଜିଲ୍ଲାରୁ ୭୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୯ ଜଣ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୭-୨୭ ଜଣ, ପୁରୀ ଜିଲ୍ଲାରୁ ୨୫ ଜଣ, କଟକ ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୮ ଜଣ, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ବୌଦ୍ଧ ଜିଲ୍ଲାରୁ ୪ ଜଣ, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର