ଜୁନାଗଡ଼ ଏକ୍ସପ୍ରେସ୍‌ର ଗତିପଥ ନ ବଦଳାଇବାକୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦୁଇ ସାଂସଦ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଲେଖିଥିବା ଏକ ଚିଠିକୁ ନେଇ ଦକ୍ଷିଣ ଓଡ଼ିଶାର ଦୁଇ ଜଣ ସାଂସଦ ଆପତ୍ତି ଉଠାଇଛନ୍ତି। କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ଭୁବନେଶ୍ୱର ଜୁନାଗଡ଼ ଏକ୍ସପ୍ରେସ୍‌କୁ ରାୟଗଡ଼ା ବଦଳରେ ସମ୍ବଲପୁର ଦେଇ ଚଳାଇବାକୁ ଅନୁରୋଧ କରାଯାଇଥିଲା। ଏହାର ଆଧାରରେ ସେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ।

ମାତ୍ର ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିରୋଧ। କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପତ୍ର ଲେଖି ଏପରି ନକରିବାକୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଦକ୍ଷିଣ ଓଡ଼ିଶାବାସୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ବିଜେଡିର ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ ମଧ୍ୟ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍‌ର ଗତିପଥ ନ ବଦଳାଇବାକୁ ଅନୁରୋଧ କରିଛନ୍ତି।

ଏହି ବିବାଦ ସୋସିଆଲ ମିଡିଆରେ ଦାନା ବାନ୍ଧୁଛି। ସାଂସଦ ସପ୍ତଗିରି ଉଲାକା ନିଜ ଚିଠି ଟୁଇଟରରେ ପୋଷ୍ଟ କରିଥିବା ବେଳେ ସାଂସଦ ରାଓଙ୍କ ସମର୍ଥକମାନେ ତାଙ୍କ ଚିଠିକୁ ହ୍ଵାଟସ୍‌ ଆପ୍‌ ଯୋଗେ ପ୍ରସାରିତ କରୁଛନ୍ତି।

ସମ୍ବନ୍ଧିତ ଖବର